ନୋ ଫ୍ଲାଇଂ ଜୋନ୍‌ରେ ଉଡ଼ିଲା ଡ୍ରୋନ୍‌

ପୁରୀ : ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଆଖପାଖ ସହ ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ପୁଲିସର ବିନା ଅନୁମତିରେ କେହି ବି ବଡ଼ଦାଣ୍ଡରେ ଡ୍ରୋନ୍‌ ଉଡ଼ାଇ ପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଛି। ରଥଯାତ୍ରା ଉପଲକ୍ଷେ ଏହି କଟକଣା ଜାରି ହୋଇଛି। ତଥାପି ଆଜି ପୁଲିସକୁ ଚକ୍‌ମା ଦେଖାଇ ସିଂହଦ୍ବାରରେ ଆକାଶ ମାର୍ଗରେ ଡ୍ରୋନ୍‌ ଉଡ଼ିଛି।ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆକାଶମାର୍ଗରେ ବହୁ ଉଚ୍ଚରେ ଏକ ଡ୍ରୋନ୍‌ ଉଡ଼ି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ ମୁଣ୍ଡ ଉପରେ କିଛି ସମୟ ପଇଁତରା ମାରିବାପରେ ଏହା ସିଂହଦ୍ବାର ଗୁମୁଟ ଉପରେ ରହି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ଭିଡିଓ ଉତ୍ତୋଳନ କରିଥିଲା। ଡ୍ରୋନ୍‌ ଏତେ ଉଚ୍ଚରେ ଉଡ଼ୁଥିଲା ଯେ ଆଖିକୁ ମାଛି ଭଳି ଦିଶୁଥିଲା। ପୁଲିସ ନଜରରେ ପଡ଼ିବା ସହ ଖୋଳତାଡ଼ ପରେ ଡ୍ରୋନ୍‌ଟି କ୍ଷୀପ୍ର ଗତିରେ ଦୋଳମଣ୍ଡପସାହି ଗଳି ଦେଇ କେଉଁଆଡ଼େ ଉଭାନ୍‌ ହୋଇଯାଇଥିଲା। ଏହି ଡ୍ରୋନ୍‌ କାହାର ତାର ଖୋଳତାଡ଼ କରାଯାଇଥିଲେ ବି ପୁଲିସ ଏହାର ଟେର୍‌ ପାଇପାରିନି। ଏହା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି।

Leave A Reply

Your email address will not be published.