ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତ ରାଧାନଗର ଗାଁ ନିକଟ ମାଟିତଳେ ଲୁଚିରହିଛି ପ୍ରାଚୀନ କଳିଙ୍ଗର ୨ହଜାର ବର୍ଷ ପୂର୍ବର ଐତିହାସିକ କୀର୍ତ୍ତିରାଜି। ସରକାରୀ ଉଦାସୀନତା ପାଇଁ ଏହା ସେମିତି ପୋତି ହୋଇ ରହିଛି। ଦୁଃଖର ବିଷୟ ହେଉଛି, ଏହାର ଉଦ୍ଧାର ତଥା ସୁରକ୍ଷା ପାଇଁ କେହି ଗୁରୁତ୍ବ ଦେଉନାହାନ୍ତି।୨୦୦୪-୨୦୦୬ ମସିହା ମଧ୍ୟରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ (ଏଏସ୍ଆଇ) ତତ୍ତ୍ବାବଧାନରେ ରାଧାନଗର ଗାଁ ନିକଟରେ ପ୍ରତ୍ନତାତ୍ତ୍ବିକ ଖନନ ହୋଇଥିଲା। ଖନନ ସମୟରେ ଏକ ବିଧ୍ବସ୍ତ ଦୁର୍ଗର ପ୍ରାଚୀର ଆବିଷ୍କୃତ ହୋଇଥିଲା। ଇଟାରେ ନିର୍ମିତ ଏହି ପ୍ରାଚୀରର ଓସାର ୩୦ ଫୁଟ ଓ ଉଚ୍ଚତା ୮ଫୁଟ। ଶିଶୁପାଳଗଡ଼, ଜଉଗଡ଼ ଓ ଅସୁରଗଡ଼ ସହିତ ଏହାର ସାମଞ୍ଜସ୍ୟ ରହିଥିବା ଗବେଷଣାରୁ ଜଣାପଡ଼ିଛି। ସେହିପରି, ଅଶୋକଙ୍କ ସାନଭାଇ ତିସାଙ୍କ ନାମ ଉଲ୍ଲେଖଥିବା ପ୍ରସ୍ତର ମୋହର, ତୋଷାଳି ସଂପର୍କିତ ଲିପି, ଖ୍ରୀଷ୍ଟପୂର୍ବ ସମୟର ରୌପ୍ୟ ମୁଦ୍ରା ଓ ପରବର୍ତ୍ତୀ କୁଶାଣ ସମୟର ସ୍ବର୍ଣ୍ଣ ଓ ତାମ୍ର ମୁଦ୍ରା, ଟେରାକୋଟା ଅଳଙ୍କାର, ଚତୁର୍ଥ ଶତାବ୍ଦୀର ଶ୍ରୀ ନନ୍ଦ ଉଲ୍ଲେଖ ଥିବା ତାମ୍ର ମୁଦ୍ରା, କଉଡ଼ି, ପୋଡ଼ା ଇଟା, ମାଟିପାତ୍ର, ପ୍ରାଚୀନ ମୂର୍ତ୍ତି ଆଦି ବିଭିନ୍ନ ସାମଗ୍ରୀ ମିଳିଥିଲା। ଏଥିରୁ ପ୍ରମାଣିତ ହୋଇଥିଲା ଯେ ଏକଦା ରାଧାନଗର ପ୍ରାଚୀନ ଉତ୍କଳର ରାଜଧାନୀ, ଅଶୋକଙ୍କ ଅନ୍ୟତମ କଳିଙ୍ଗ ଯୁଦ୍ଧକ୍ଷେତ୍ର ଓ ଏକ ବିଶ୍ବ ବାଣିଜ୍ୟ କେନ୍ଦ୍ର ଥିଲା। ଏହାର ରୋମ୍ ଏବଂ ଦକ୍ଷିଣ-ପୂର୍ବ ଏସିଆ ମହାଦେଶ ସହିତ ବାଣିଜ୍ୟିକ ସଂପର୍କର ପ୍ରମାଣ ମିଳିଥିବା ବୌଦ୍ଧ ଗବେଷକ ଡ. ନୃସିଂହ ଚରଣ ସାହୁଙ୍କ ସୂଚନାରୁ ଜଣାପଡ଼ିଛି।ସେହିପରି, ବମ୍ପୁ ଗ୍ରାମ ନିକଟରେ ରାଜ୍ୟ ସଂସ୍କୃତି ବିଭାର ପ୍ରତ୍ନତାତ୍ତ୍ବିକ ଖନନରୁ ଏକ ଇଟା ନିର୍ମିତ ପାଚେରି ଆବିଷ୍କୃତ ହୋଇଥିଲା। ଭୂମି ପତନଠାରୁ ୬ ଫୁଟ ତଳୁ ଦୃଶ୍ୟମାନ ଏହି ପ୍ରାଚୀରର ଚଉଡ଼ା ୧୫ ଫୁଟ ଓ ଉଚ୍ଚତା ୧୦ ଫୁଟ ରହିଛି। ଯାହା ରାଧାନଗର ଦୁର୍ଗର ପଶ୍ଚିମ ପାର୍ଶ୍ବଦ୍ବାରର ଇଟା ନିର୍ମିତ ପାଚେରିର ଏକ ବୃହତ୍ ଅଂଶ ବୋଲି କୁହାଯାଇଛି।