ତାତି ବିଗାଡ଼ୁଛି ଶିକ୍ଷାବର୍ଷ, ଦୁଇ ମାସ ହେଲା ସ୍କୁଲ ପିଲାଙ୍କ ପାଠପଢ଼ା ବନ୍ଦ

ଭୁବନେଶ୍ବର : ରଜ ସରିଲା। ମାତ୍ର ତାତି କମିଲାନି କି ସ୍କୁଲ ଖୋଲି ପାରିଲା ନାହିଁ। ଆସନ୍ତା ଦୁଇ ଦିନ ଯାଏ ତାତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୧ ତାରିଖରେ ବି ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଏଭଳି ପୂର୍ବାନୁମାନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସହ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି। ୨୧ ତାରିଖଠାରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହାତରେ ଆଉ ଦୁଇ ଦିନ ଥିବା ବେଳେ ତାପମାତ୍ରା କମିବାର କୌଣସି ପ୍ରକାର ସଂକେତ ଦେଖିବାକୁ ମିଳୁନି। ଏମିତି ସ୍ଥିତି ଲାଗି ରହିଲେ ପିଲାଙ୍କୁ କିଭଳି ସ୍କୁଲ ପଠାଇବେ, ତାହାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି।ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ହିଁ ବିଭ୍ରାଟ ଦେଖିବାକୁ ମିଳିଥିଲା। ଏପ୍ରିଲ ୨ରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଧାର୍ଯ୍ୟ ସମୟରେ ସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇପାରି ନଥିଲା। ପାଖାପାଖି ଗୋଟିଏ ସପ୍ତାହ ବିଳମ୍ବରେ ପ୍ରବେଶ ଉତ୍ସବ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ବି ହୋଇପାରିଲା ନାହିଁ। ନାମଲେଖା‌ ବି ଧାର୍ଯ୍ୟ ସମୟରେ ସରିପାରି ନଥିଲା। ଏଥର ଏପ୍ରିଲ ଦ୍ବିତୀୟ ସପ୍ତାହରୁ ତତଲା ତାୱାରେ ସିଝିଥିଲା ସାରା ଓଡ଼ିଶା। ଉପକୂଳଠାରୁ ଉତ୍ତର, ପଶ୍ଚିମ ସବୁଠି ଆକାଶରୁ ନିଆଁବର୍ଷା ହୋଇଥିଲା। ଡହଡହ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଥିଲା। ସକାଳର କଅଁଳ ଖରା ଉଭେଇ ଯିବାରୁ ମେ’ ୬ରେ ହେବାକୁ ଥିବା ଖରା ଛୁଟିକୁ ରାଜ୍ୟ ସରକାର ଏପ୍ରିଲ ୨୧ରୁ ଘୋଷଣା କରିଥିଲେ। ଫଳରେ ରାଜ୍ୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ହୋଇଥିଲା, ତାହା ଏବେ ବି ଜାରି ରହିଛି। ଦୁଇ ମାସ ହେଲା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଲାଣି। ଆଗକୁ କେତେଦିନ ଏମିତି ଚାଲିବ, ତାହା କହିବା ମୁସ୍କିଲ ହୋଇପଡ଼ିଛି।

Leave A Reply

Your email address will not be published.