ଭୁବନେଶ୍ବର : ଆଦିବାସୀ ଜମିକୁ ଅଣ-ଆଦିବାସୀ ବିକ୍ରି ଉପରେ କଟକଣା, ଜଙ୍ଗଲ ଅଧିକାର ଆଇନ ୨୦୦୬, ପେସା ଆଇନ ୧୯୯୬ ଅନ୍ତର୍ଗତରେ ଆଦିବାସୀଙ୍କୁ ଜମି ପ୍ରଦାନ, ଗ୍ରାମସଭାର ବିନା ଅନୁମୋଦନରେ ଆଦିବାସୀ ଜମି ଅଧିଗ୍ରହଣରେ କଟକଣା ସମେତ ଆଦିବାସୀ ଜମି ଅଧିକାର ସୁରକ୍ଷିତ କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନେକ ଆଇନ ରହିଛି। ୧୯୭୫ ମସିହାରୁ କାର୍ଯ୍ୟକାରୀ ବସୁନ୍ଧରା କାର୍ଯ୍ୟକ୍ରମ ଅନ୍ତର୍ଗତରେ ୪ ଡେସିମିଲ ଘରବାଡ଼ି ଜମି ପ୍ରଦାନର ବ୍ୟବସ୍ଥା ରହିଛି। ଏହା ସତ୍ତ୍ବେ ଜନଜାତି ମାଲିକାନା ଥିବା ଜମି ସଂଖ୍ୟା ବଢ଼ିବା ପରିବର୍ତ୍ତେ ମାତ୍ର ୧୦ ବର୍ଷରେ ଏହା ୧୨ ପ୍ରତିଶତ ହ୍ରାସ ପାଇଥିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟ କିମ୍ବା ତହସିଲ କେହି ମଧ୍ୟ ଆଦିବାସୀ ଜମି ବିତରଣ କାର୍ଯ୍ୟ ଠିକ ଭାବରେ କରୁନାହାନ୍ତି। ଆଦିବାସୀ ପ୍ରଭାବିତ ଜିଲ୍ଲାର ତଥ୍ୟକୁ ନେଇ ୨୦୨୨ ମସିହାରେ ଜାରି ସିଏଜି ଡ୍ରାଫ୍ଟ ରିପୋର୍ଟରେ ଉଭୟ ବିଭାଗକୁ କାଠଗଡ଼ାରେ ଛିଡ଼ା କରାଯାଇଛି। ଏହାକୁ ଆଧାର କରି ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, କନ୍ଧମାଳ, କେନ୍ଦୁଝର, ଗଞ୍ଜାମ, ଗଜପତି ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ। ୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୨୨.୮୫ ହେଉଛନ୍ତି ଆଦିବାସୀ। ସେଥିରେ ପୁଣି ଏଠାରେ ୧୩ ପ୍ରକାର ପିଭିଟିଜି ସମୂହ ଅଛନ୍ତି। ରାଜ୍ୟର ସମୁଦାୟ ୩୧୪ ବ୍ଲକ ମଧ୍ୟରୁ ୧୧୯ଟି ଆଦିବାସୀ ଅନୁସୂଚିତ ଜନଜାତି ବ୍ଲକ ଭାବରେ ଘୋଷଣା କରାଯାଇଛି। ଅର୍ଥାତ ରାଜ୍ୟର ସମୁଦାୟ ଅଞ୍ଚଳ ମଧ୍ୟରୁ ୪୪.୭୦ ପ୍ରତିଶତ ଜନଜାତି ସଂରକ୍ଷିତ ଅଞ୍ଚଳ। ସିଏଜିର ଏହି ଡ୍ରାଫ୍ଟ ରିପୋର୍ଟ ଅନୁଯାୟୀ, ୨୦୦୫ ମସିହାରେ ସମୁଦାୟ ୫୦.୧୯ଲକ୍ଷ ହେକ୍ଟର ଜମି ୨୦୧୫ ମସିହା ବେଳକୁ ୪୬.୧୯ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ଏଥିରେ ଜନଜାତିଙ୍କ ମାଲିକାନାରେ ୧୭.୪୮ ଲକ୍ଷ ହେକ୍ଟର ଥିଲା। ଯାହା ୨୦୧୦ ମସିହାରେ ୧୬.୧୫ ଲକ୍ଷ ହେକ୍ଟର ଏବଂ ୨୦୧୫ ମସିହାରେ ୧୫.୩୮ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ଏହି ୧୦ ବର୍ଷ ମଧ୍ୟରେ ଅନ୍ୟାନ୍ୟ ବର୍ଗଙ୍କ ମାଲିକାନା ଥିବା ଜମି ପରିମାଣ ୨୭.୪୪ ଲକ୍ଷ ହେକ୍ଟରରୁ ୨୫.୩୩ ଲକ୍ଷ ହେକ୍ଟର, ଅନୁସୂଚିତ ଜାତି ମାଲିକାନା ଜମି ପରିମାଣ ୫.୨୭ ଲକ୍ଷ ହେକ୍ଟରରୁ ୫.୪୮ ଲକ୍ଷ ହେକ୍ଟରକୁ ପହଞ୍ଚିଛି। ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଆଦିବାସୀ ଜମି ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଜିଟାଲ ଭାରତ ଜମି ପଞ୍ଜୀକରଣ ମର୍ଡନାଇଜେସନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି। ଏହାର ଅନ୍ତର୍ଗତରେ ଜନଜାତି ଜମି କମ୍ପୁଟରୀକରଣର ବ୍ୟବସ୍ଥା ରହିଛି। ଅର୍ଥାତ ୧୨ ପ୍ରତିଶତ ଜନଜାତି ଜମି ସରକାରଙ୍କ ଆଖି ସମ୍ମୁଖରୁ ଉଭାନ ହୋଇଯାଇଥିବା ସ୍ପଷ୍ଟ ହୋଇଛି।