ପଦ୍ମଶ୍ରୀ ରାଧାମୋହନଙ୍କ ବଗିଚାରୁ ଟ୍ରିପ୍ ଟ୍ରିପ୍ ଆମ୍ବ ଗାଏବ୍

ଓଡ଼ଗାଁ : ପଦ୍ମଶ୍ରୀ ରାଧାମୋହନଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଜାଗାକୁ ଏନ୍ଏସି ନିଜ ଅଧୀନକୁ ନେଇ ଏକର ଏକର ଜମି କାଟି ସେଥିରେ ଆମ୍ବ ବଗିଚା ସୃଷ୍ଟି କରିଛି। ୩ ବର୍ଷ ପୂର୍ବେ ଏହି ଆମ୍ବ ବଗିଚା ନିର୍ମାଣ କରିବାକୁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏନ୍ଏସି ପକ୍ଷରୁ ପାଖାପାଖି ୩୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ହଜାର ହଜାର ଆମ୍ବ ଗଛ ଲାଗିଲା। ଗଛକୁ କିପରି ବଞ୍ଚାଯାଇପାରିବ ସେଥିପାଇଁ ସିମେଣ୍ଟ କୁଣ୍ତ ଓ ପାଣିର ବ୍ୟବସ୍ଥା କରାଗଲା। ଏହା ଭିତରେ ୨ ବର୍ଷ ଅତିକ୍ରମ କରିବାକୁ ବସିଥିବା ବେଳେ ଚଳିତ ବର୍ଷ ଗଛରେ ପ୍ରଚୁର ପରିମାଣର ଆମ୍ବ ଫଳିଥିଲା। ମାତ୍ର ସେହି ବଗିଚାରୁ ଟ୍ରିପ୍ ଟ୍ରିପ୍ ଆମ୍ବ କୁଆଡ଼େ ଗାଏବ୍ ହୋଇଯାଇଛି। ତେବେ ରଘୁନାଥ ସମବାୟ ମହାବିଦ୍ୟାଳୟ ଜାଗାକୁ କାଟି ଏନ୍ଏସି ଆମ୍ବ ବଗିଚା ସୃଷ୍ଟି କରିବା ପଛରେ କି ରହସ୍ୟ ରହିଛି ତାକୁ ନେଇ ଆଲୋଚନା ଜୋର୍‌ ଧରିଛି। ସୂଚନାଯୋଗ୍ୟ, ରାଧାମୋହନଙ୍କ ଆମ୍ବ ବଗିଚା ପାଇଁ ଏନ୍ଏସି ପକ୍ଷରୁ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନାରେ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ବାରା ଏହି ଆମ୍ବ ବଗିଚା ସୃଷ୍ଟି କରାଯାଇଛି କିନ୍ତୁ କେବଳ ଧର୍ମକୁ ଆଖିଠାର ନ୍ୟାୟରେ ମହିଳାମାନଙ୍କୁ ଏଥିରେ ସାମିଲ୍‌ କରାଯାଇଥିବା ଜଣାପଡ଼ିଛି। କାମ ସଂପର୍କରେ ସେମାନେ କିଛି ବି ଜାଣିନଥିବା ଅଭିଯୋଗ ହୋଇଛି। କେତେ ଅନୁଦାନ ଆସିଥିଲା, କେତେ ଖର୍ଚ୍ଚ ହୋଇଛି, କେତେ ଆମ୍ବ ଗଛ ଲାଗିଥିଲା, କେତେଦିନ ପାଣି ଦିଆଯାଇଛି, ଚାରିପଟ ବାଡ଼ ବୁଲାଇବାରେ କେତେ ଖର୍ଚ୍ଚ ହୋଇଛି, ଏଥିରେ କେତୋଟି ଗ୍ରୁପ୍ ମହିଳା କାର୍ଯ୍ୟ କରିଛନ୍ତି ତାହାର ହିସାବ ନାହିଁ। ସେମାନଙ୍କ ନାମରେ କୁଜିନେତା, ସରକାରୀ ବାବୁମାନେ ମିଶି ଟଙ୍କା ବାଟମାରଣା କରିଛନ୍ତି। ୩୦ ଲକ୍ଷ ଟଙ୍କା ଯାହିତାହି ଭାବେ ଖର୍ଚ୍ଚ କରି ଆମ୍ବ ବଗିଚାକୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ ଟେକି ଦିଆଯାଇଥିବା କିଛି ବ୍ୟକ୍ତି ନିଜ ନାମ ଗୋପନ ରଖି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଗଛରେ ଆମ୍ବ ଫଳିବା ପରେ ଆମ୍ବ ସଂଗ୍ରହ କରିବା ଦାୟିତ୍ବ ଏନ୍ଏସିର ହୋଇଥିଲେ ବି ସେମିତି କିଛି କରାଯାଇନାହିଁ। କେତେ ଆମ୍ବ ଆଦାୟ ହୋଇଛି, ସେହି ଆମ୍ବ ବିକ୍ରି ହୋଇଛି କି ନାହିଁ ତାହାର ହିସାବ କାହା ପାଖରେ ନାହିଁ। କେବଳ ଅର୍ଥ ହେରଫେର ପାଇଁ ଆମ୍ବ ବଗିଚାକୁ ଖୋଲା ଛାଡ଼ି ଦେଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ କରି ଆମ୍ବ ବଗିଚା ସୃଷ୍ଟି କରିବା ଏବଂ ଏହାର ଦାୟିତ୍ବ ନ ନେବା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ଥିବା ଆଲୋଚନା ହେଉଛି। ଏଭଳି ଘଟଣାକୁ ସାଧାରଣ ଲୋକେ ନାପସନ୍ଦ କରିବା ସହିତ ଏନ୍ଏସି ଏହାର ଦାୟିତ୍ବ ନେଇ ଆମ୍ବ ଆଦାୟ କରୁ ନଚେତ୍ ମହାବିଦ୍ୟାଳୟକୁ ହସ୍ତାନ୍ତର କରୁ ବୋଲି ମତପ୍ରକାଶ ପାଇଛି।

Leave A Reply

Your email address will not be published.