କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗ୍ରାମର ଜଣେ ବୋହୂ ନିଜ ଶାଶୁ ସୁମିତ୍ରା ବେଶ୍ରା ଓ ଦେଢଶୁର ଦିବ୍ୟାଙ୍ଗ ପରମାନନ୍ଦ ବେଶ୍ରା ଉଭୟ ଘରେ ଥିଲାବେଳେ ଘର ବାହାର ପଟୁ ୫ ଦିନ ହେଲାଣି ତାଲା ଦେଇ ନିଜ ଝିଅକୁ ନେଇ କେଉଁ ଆଡେ ଫେରାର ହେଇଯାଇଛନ୍ତି ।ଏହି ଖବର ପାଇ କଙ୍କଡାହାଡ଼ ଥାନାର ଏଏସଆଇ ମିହିର କୁମାର ରାଉତ,ସରପଞ୍ଚ ତାପସ ପାଣି, ବିରାଶାଳ ରାଜସ୍ୱ ନିରୀକ୍ଷକ ଶୈଳବାଳା ସିଂହ, ଗ୍ରାମ ପୁର୍ବତନ ସଭାପତି ଅଭୟ ସିଂହ, ୱାଡ଼ ସଦସ୍ୟ ମିଶ୍ର ହାଁସଦା, ସମାଜସେବୀ ଛାୟାକାନ୍ତ ନାଏକ,ଅରୁଣ ସିଂହ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ସୁମିତ୍ରା ବେଶ୍ରାଙ୍କ ସାନ ପୁଅ ବିରେନ୍ଦ୍ର ସିଂ ବେଶ୍ରା କାମିନୀଙ୍କୁ ପ୍ରେମ ବିବାହ କରିଥିଲେ । ସୁମିତ୍ରାଙ୍କ ସ୍ୱାମୀ ସନା ବେଶ୍ରାଙ୍କର ଦୀର୍ଘ ୩ ବର୍ଷ ତଳେ ମୃତ୍ୟୁ ହୋଇଥିବାବେଳେ ସାନ ପୁଅ ବିରେନ୍ଦ୍ର ସିଂଙ୍କର ପାଣିରେ ବୁଡି ମୃତ୍ୟୁ ହେଇଥିଲା । ଉଭୟଙ୍କ ମୃତ୍ୟୁ ପରେ ଘରେ ଶାଶୁ ସୁମିତ୍ରା,ଦିବ୍ୟାଙ୍ଗ ପୁଅ ପରମାନନ୍ଦ, ବୋହୂ କାମିନୀ ଓ ନାତୁଣୀ ରହୁଥିଲେ । ପରିଣତ ବୟସରେ ବୃଦ୍ଧା ଶାଶୁର ସାହା ଭରସା ଥିଲା ବୋହୂ କାମିନୀ | ତେବେ ବୋହୂ ଫେରାର ହୋଇଯିବା ପରେ ଏ ସଂକ୍ରାନ୍ତରେ ସୁମିତ୍ରାଙ୍କ ଦିଅର କୁତୁଲ ବେଶ୍ରା କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କଙ୍କଡାହାଡ଼ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏସଂକ୍ରାନ୍ତରେ କଙ୍କଡାହାଡ଼ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ କହିଛନ୍ତି ଉଭୟଙ୍କୁ ଉଦ୍ଧାର କରି ବାଟଗାଁ ପଞ୍ଚାୟତ ଢୋଲଖମଣ ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରେ ରଖାଯାଇଛି ।