ତିନିରଥର ଦକ୍ଷିଣମୋଡ଼ ଆଜି, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ

ପୁରୀ : ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତରା କରାଯାଇଛି। ବାଲି ବିଛାଯାଇ ସମତୁଲ କରାଯାଇଛି। ଆସନ୍ତାକାଲି ସେବାୟତ ଓ ପୁଲିସ ବଳଙ୍କ ସହଯୋଗରେ ତିନି ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ। ରଥଯାତ୍ରା ପରଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁହାଁ କରି ରଖାଯିବ। ଦକ୍ଷିଣମୋଡ଼ ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ନୀତି ପରେ ବେଶ ଶେଷ ହେବ। ସାଢ଼େ ୯ଟାରେ ଗୋପାଳବଲ୍ଲଭ, ୧୦ଟାରୁ ସାଢ଼େ ୧୧ଟା ସକାଳଧୂପ ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.