ଭୁବନେଶ୍ୱରରେ ଶିବମୟ ପରିବେଶ, ମନ୍ତ୍ରଧ୍ୱନି ଓ ବେଦପାଠରେ ଏକାମ୍ର ପ୍ରକଳ୍ପର ହେଲା ଶିଳାନ୍ୟାସ

ଭୁବନେଶ୍ବର :   ଚାରିଆଡ଼େ ଶିବମୟ ପରିବେଶ। ଓଁକାର ଧ୍ୱନିରେ କମ୍ପୁଛି ଏକାମ୍ରକ୍ଷେତ୍ର। ବେଦ ଓ ମନ୍ତ୍ର ପାଠରେ ଚାଲିଥିଲା ଯଜ୍ଞ। ଆଧ୍ୟାତ୍ମିକ ପରିବେଶରେ ପବିତ୍ର ବାହୁଡ଼ା ଦଶମୀରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନି ଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହେଲେ। ଏହି ଅବସରରେ ଏକାମ୍ର ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିଥିବା ସେବାୟତ ଓ ଅନ୍ୟ ପରିବାରକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏକାମ୍ର କ୍ଷେତ୍ରକୁ ନୂଆରୂପ ଦେବାକୁ ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପ। ଏକାମ୍ର କ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନୁମେଣ୍ଟସ୍‌ ରିଭାଇଭାଲ୍‌ ପ୍ଲାନ ଅନୁସାରେ ଆରମ୍ଭ ହେବ କାମ। ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠକୁ ଭବ୍ୟ ଓ ସୁନ୍ଦର କରାଯିବ।… ସୋମବାର ଆରମ୍ଭ ହୋଇଥିଲା ଏକାମ୍ର ପ୍ରକଳ୍ପ ପାଇଁ ଯଜ୍ଞପାଠ। ମାଙ୍ଗଳିକ ଅଙ୍କୁରୋପଣ ପରେ ଗତକାଲି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଆରମ୍ଭ ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୫ଜଣ ବ୍ରାହ୍ମଣ ଓ ପୂରୋହିତ ଯଜ୍ଞ କରିଥିଲେ। ଆଜି ଶେଷ ଦିନରେ ଶିଳା ଶୋଧନ, ଶିଳା ପ୍ରତିଷ୍ଠା, ଶିଳାନ୍ୟାସ କର୍ମ ପରେ ଯଜ୍ଞରେ ପଡ଼ିଛି ପୂର୍ଣ୍ଣାହୁତି। ଶିଳାନ୍ୟାସ ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ। ଏକାମ୍ର କ୍ଷେତ୍ରର ନବକଳେବର ପାଇଁ ରାଜ୍ୟ ସରକାରଙ୍କ ଏକାମ୍ର ପ୍ରକଳ୍ପକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.