ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ମାରିଲେ ଗୁଳି

ଉତ୍ତର ପ୍ରଦେଶ: ଆଜାଦ ସମାଜ ପାର୍ଟି (ଭୀମ ସେନା)ର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ସହାରନପୁରର ଦେବବନ୍ଦରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଛନ୍ତି। ଗୁଳି ତାଙ୍କ ଅଣ୍ଟାରେ ବାଜି ବାହାରକୁ ବାହାରି ଆସିଛି। ଏହା ସହିତ ତାଙ୍କ ଗାଡ଼ିର କାଚ ମଧ୍ୟ ଭାଙ୍ଗି ଯାଇଛି। ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଚନ୍ଦ୍ରଶେଖର ଆଜାଦ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଆମ ଲୋକମାନେ ପାଖରେ ଥିଲେ। ଦୁର୍ଘଟଣାକୁ ନେଇ ମୁଁ ବହୁତ ଡରି ଯାଇଥିଲି। ମୁଁ ସ୍ଥାନୀୟ ପୋଲିସ ପ୍ରଶାସନଠାରୁ ସହାୟତା ପାଇଁ ସାହାଯ୍ୟ ମଧ୍ୟ ମାଗିଥିଲି। ସେ ଆକ୍ରମଣକାରୀଙ୍କ ବିଷୟରେ କହିଛନ୍ତି ଯେ ମୋର ଠିକ୍ ଭାବେ ମନେ ନାହିଁ, କିନ୍ତୁ ମୋର ଲୋକମାନେ ସେମାନଙ୍କୁ ଚିହ୍ନିଯିବେ। ସେମାନଙ୍କ କାର ସହାରନପୁର ଆଡକୁ ଚାଲିଯାଇଥିଲା। ଆମେ ଏକ ୟୁ-ଟର୍ନ ନେଇଥିଲୁ। ଘଟଣା ସମୟରେ ମୋ ସାନଭାଇଙ୍କ ସମେତ ଆମେ ୫ ଜଣ କାରରେ ଥିଲୁ। ସେପଟେ ଘଟଣାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୀମ ସେନା ଦାବି କରିଛି। ସେନା କହିଛି ଯେ ଚନ୍ଦ୍ରଶେଖର ଆଜାଦଙ୍କୁ ସୁରକ୍ଷା ମିଳିବା ଉଚିତ। ଆରଏଲଡିର ସ୍ଥାନୀୟ ବିଧାୟକ ମଦନ ଭେୟା କହିଛନ୍ତି ଯେ ସେ ଏବେ ବିପଦମୁକ୍ତ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.