ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇଲେ ଏସଏଚଜି ସଦସ୍ୟା

 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ପଡ଼ିଲା ତାଲା । ବିଭିନ୍ନ ସମସ୍ୟା ନେଇ ତାଲା ପକାଇଲେ ଏସଏଚଜି ସଦସ୍ୟା। ଆନନ୍ଦପୁର ପୌରପାଳିକା ୩ନଂ ଓ୍ଵାର୍ଡର SHGର ଶତାଧିକ ମହିଳା ଆଜି ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ।୩ନଂ ଓ୍ଵାର୍ଡ ଏସଏଚ୍‌ଜି ଗୁଡିକ ପାଇଁ କୋ-ଅର୍ଡିନେଟର ନିଯୁକ୍ତିରେ ଅନିୟମିତତା ସହ ଓ୍ଵାର୍ଡରେ ଜାଗା ମିସନ ମାଧ୍ୟମରେ ମିଳିଥିବା ଘରବାଡି ପଟ୍ଟାରେ ତ୍ରୁଟି ଅଭିଯୋଗ ହୋଇଛି । ସମସ୍ୟା ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।ଘଟଣା ସ୍ଥଳରେ ପୌରାଧ୍ୟକ୍ଷା ରଜନୀରାଣୀ ଖୁଣ୍ଟିଆ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଜିଦ୍‌ରେ ଅଟଳ ରହିଛନ୍ତି ମହିଳା । ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ପୌରାଧ୍ୟକ୍ଷା ଘଟଣା ସଂପର୍କରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.