କେହି ଶୁଣିଲେନି, ଶେଷରେ ପାହାଡ଼ କାଟି ଜମିକୁ ପାଣିନେଲେ ଚାଷୀ

ରାୟଗଡ଼ା: ପାହଡ଼ କାଟି ଚାଷ ଜମିକୁ ପାଣି ନେଉଛନ୍ତି ଗାଁ ଲୋକେ । ଜମିକୁ ପାଣି ପହଁଚିଲେ ଚାଷ କରିବେ । ଯାହା ରୋଜଗାର ହେବ ପରିବାର ଚଳିବ । ନେତାଠୁ ପ୍ରଶାସକ ସମସ୍ତଙ୍କୁ ଗୁହାରି କଲେ କେହି ଶୁଣିଲେ ନାହିଁ । ଶେଷରେ ବାଧ୍ୟହୋଇ ପାହାଡ଼ କାଟିଲେ । କୋଦାଳ ଓ ଶାବଳ ଧରି କେନାଳ ଖୋଳିବାରେ ଲାଗିଛନ୍ତି । ପାହଡ଼କୁ କାଟି ପାହାଡ଼ର କଡ଼େ କଡ଼େ କେନାଲ ତିଆରି କରୁଛନ୍ତି । ଅଧବାଟ ଖୋଳିଛନ୍ତି । ଆଉ ଅଧବାଟ ବାକି ଅଛି । ତା ପରେ ଯାଇ ବିଲକୁ ପାଣି ପହଁଞ୍ଚିବ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁରୁ ଏପରି ଚିତ୍ର ଆସିଛି । କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନୂଆଗାଁ ନିକଟରେ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯାଇଛି । ହେଲେ ଡ୍ୟାମର ପାଣି ଚାଷ ଜମିକୁ ଯିବାପାଇଁ କୌଣସି କେନାଲର ବ୍ୟବସ୍ଥା ନାହିଁ । ଫଳରେ କେବଳ ବର୍ଷାଜଳ ଉପରେ ଭରଷା କରୁଛି ଚାଷୀ । ବର୍ଷାରେ ଅନିୟମିତତା ଦେଖା ଦେଉଥିବାରୁ ଠିକ ଭାବରେ ଚାଷ ହୋଇପାରୁ ନାହିଁ । ଯେଉଁଥି ପାଇଁ ଚାଷୀକୁ କ୍ଷତି ସହିବାକୁ ପଡ଼ୁଛି । ଏ ବାବଦରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରି ଆସୁଥିଲେ ଚାଷୀ । ହେଲେ କୌଣସି ପ୍ରଶାସକ ଏନେଇ ପଦକ୍ଷେପ ନେଉ ନଥିଲେ । ନେତାଙ୍କୁ ବି ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା ।

Leave A Reply

Your email address will not be published.