ବାହାନଗା ରେଳ ଦୁର୍ଘଟଣା: ମୃତଦେହ ନେଲେ ୧୩ ପରିବାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ୧୩ ମୃତକଙ୍କ ପାର୍ଥିବ ଶରୀର ଆଜି ତାଙ୍କ ପରିଜନଙ୍କୁ ଦିଆଯାଇଛି। ଏଥିରୁ ୮ ଜଣ ପଶ୍ଚିମବଙ୍ଗ, ୪ ଜଣ ବିହାର ଏବଂ ଜଣେ ଝାଡ଼ଖଣ୍ଡର ଅଛନ୍ତି। ଏମ୍‌ସରେ ସଂରକ୍ଷିତ ୮୨ ମୃତକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଆସିଛି। ଏଥିରୁ ଦୁଇ ଦିନ ମଧ୍ୟରେ ସମୁଦାୟ ୧୯ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ମଧ୍ୟ ଯାଞ୍ଚ ଏବଂ ମୃତଦେହ ହସ୍ତାନ୍ତରଣ କାର୍ଯ୍ୟ ଜାରି ରହିବ। ଏମ୍‌ସ ସହଯୋଗରେ ସିବିଆଇ, ରେଳବାଇ, ଜିଆରପି ଉପସ୍ଥିତିରେ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ବ୍ୟାଙ୍କ ପାସବୁକ ନମ୍ବର, ଡିଏନଏ ପରୀକ୍ଷା ସ୍ଲିପ ସମେତ ବିଭିନ୍ନ ଦସ୍ତାବିଜଗୁଡ଼ିକ ଯାଞ୍ଚ କରାଯାଇଥିଲା। ବାହାନଗା ରେଳ ଦୁର୍ଘଟଣାକୁ ଏକ ମାସ ପୂରିଛି। କିନ୍ତୁ ଏ ପର୍ଯ୍ୟନ୍ତ ୧୬ ବର୍ଷୀୟ ପୁଅ ନୁରୁଲଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କ ମା’। ନୁରୁଲଙ୍କ ବଡ଼ ଭାଇ ଅସରଫ ଅଲ୍ଲି କହନ୍ତି, ୨ ତାରିଖ ଭାଇଙ୍କ ମୃତ୍ୟୁ ପରେ ୩ ତାରିଖ ବାଲେଶ୍ବର ଯାଇଥିଲେ। ୫ ତାରିଖରେ ଅମ୍ରି ହସ୍ପିଟାଲରେ ଭାଇଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। କିନ୍ତୁ ମାଲଦା ଇଂଲିସ ବଜାରର ଆଉ ଜଣେ ବ୍ୟକ୍ତି ସେହି ମୃତଦେହ ତାଙ୍କ ପୁଅର ବୋଲି କହିଥିଲେ। ଶେଷରେ ରକ୍ତ ନମୁନା ସଂଗ୍ରହ କରାଯାଇ ଡିଏନଏ ପାଇଁ ପଠାଯାଇଥିଲା। ନୁରୁଲ ତାଙ୍କ ଭାଇ ବୋଲି ଡିଏନଏ ରିପୋର୍ଟରୁ ଜଣାପଡ଼ିବା ପରେ ଏଠାରେ ପହଞ୍ଚିଛନ୍ତି। ଅସରଫଙ୍କ ସୂଚନା ଅନୁସାରେ, ସେମାନେ ୩ ଭାଇ ଏବଂ ୨ ଭଉଣୀ। ଘରର ଆର୍ଥିକ ଦୁରବସ୍ଥା ଯୋଗୁଁ ନୁରୁଲ ଚେନ୍ନାଇରେ କାର୍ଯ୍ୟ କରୁଥିଲେ। ଛୁଟିରେ ଘରକୁ ଆସି ଚେନ୍ନାଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିପରି ମୃତକ ବିହାର ମୁଜାଫରନଗରର ସଂଜୟ କୁମାର(୨୫)ଙ୍କ ମୃତଦେହ ଏତେ ଖରାପ ହୋଇ ଯାଇଥିଲା ଯେ ଚିହ୍ନଟ ହୋଇ ପାରୁନଥିଲା। ରାଜଧାନୀର ସବୁ ଡାକ୍ତରଖାନା ବୁଲି ନିରାଶ ହେବାପରେ ଗତ ଜୁନ୍‌ ୯ ତାରିଖ ଡିଏନଏ ରିପୋର୍ଟ ପାଇଁ ତାଙ୍କ ବାପାଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଡିଏନଏ ରିପୋର୍ଟ ଆସିବା ‌ପରେ ଆଜି ତାଙ୍କ ପରିବାର ଲୋକ ଆସି ମୃତଦେହ ନେଇଛନ୍ତି। ପଶ୍ଚିମବଙ୍ଗ ମୁର୍ସିଦାବାଦର ସିରାଜଉଲ ହକ(୨୪)ଙ୍କର ଯଶୋବନ୍ତପୁର-ହାଓଡ଼ା ଟ୍ରେନ୍‌ରେ ଫେରୁଥିବାବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ପରିବାର ସଦସ୍ୟଙ୍କୁ ତାଙ୍କ ମୃତଦେହ ମିଳୁନଥିଲା। ଶେଷରେ ଡିଏନଏ ରିପୋର୍ଟ ଆସିଥିବା ତାଙ୍କ ପରିବାରକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.