ଆସୁନି ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଡିଏନ୍‌ଏ ରିପୋର୍ଟ: ମାସେ ହେଲା ଘର ଛାଡ଼ି ଭୁବନେଶ୍ବରରେ ପରିବାର

ଭୁବନେଶ୍ବର : ପଶ୍ଚିମବଙ୍ଗ କୁଚବିହାରର ଶିବକାନ୍ତ ରାୟଙ୍କ ରକ୍ତ ନମୁନା କେତେ ଦିନ ହେଲା ନିଆଗଲାଣି। ମାତ୍ର ଆଜିଯାଏ ରିପୋର୍ଟ ଆସିନାହିଁ। ସେ ନିଜ ପୁଅର ମୃତଦେହ ନେବା ପାଇଁ ଗୋଟିଏ ମାସ ହେଲା ଭୁବନେଶ୍ବରରେ ଅଛନ୍ତି। ବାହାନଗା ରେଳ ଦୁର୍ଘଟଣାରେ ମୃତ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଆସିଥିବା ଜାଣିବା ପରେ ଏମ୍‌ସକୁ ଆସି ନିରାଶ ହୋଇ ଫେରିଛନ୍ତି। ଶିବକାନ୍ତ କହନ୍ତି, ପୁଅ ବିପୁଲ ରାୟ(୨୨)ର ବିବାହ ଜୁଲାଇ ୨୩ରେ ହୋଇଥାଆନ୍ତା। ଏଥିପାଇଁ ସେ କାର୍ଯ୍ୟକ୍ଷେତ୍ର ତିରୁପତିରୁ ଘରକୁ ଫେରୁଥିଲେ। ମାତ୍ର ବାହାନଗା ରେଳ ଦୁର୍ଘଟଣା ଯେମିତି ତାଙ୍କ ପରିବାରର ଖୁସିକୁ ହିଁ ଧୂଳିସାତ କରିଦେଲା। ପୁଅର ମୃତଦେହ ନେବା ପାଇଁ ଓଡ଼ିଶା ଧାଇଁ ଆସିଥିଲେ। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ଫଟୋରେ ବି ଚିହ୍ନିଲେ। କିନ୍ତୁ ଆଶ୍ଚର୍ଯ୍ୟ ଯେ ପୁଅର ମୃତଦେହକୁ ଆଉ ଜଣେ ବ୍ୟକ୍ତି ବିହାର ନେଇ ଯାଇଥିବା ଶିବକାନ୍ତ କହିଛନ୍ତି। ସେଠି ମଧ୍ୟ ଯେତେ ଯୋଗାଯୋଗ ଥିଲା ସେସବୁ ଜରିଆରେ ମୃତଦେହ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ସଫଳ ହେଲା ନାହିଁ। ଶବ ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା ଲାଗି ତାଙ୍କ ରକ୍ତ ନମୁନା ନିଆଗଲା। କିନ୍ତୁ ଆଜି ପର୍ଯ୍ୟନ୍ତ ରିପୋର୍ଟ ଆସିପାରିଲା ନାହିଁ। ଡିଏନଏ ରିପୋର୍ଟ ଅପେକ୍ଷାରେ ଏଠାରେ ମାସେ ହେଲା ରହିଲେଣି। ବିହାରର ସଞ୍ଜୁ ଦେବୀ ମଧ୍ୟ ନିଜ ୧୫ ବର୍ଷୀୟ ପୁଅ ଅଖିଳେଶର ମରଶରୀରକୁ ଅପେକ୍ଷା କରି ଏକ ମାସ ହେଲା ଭୁବନେଶ୍ବରରେ ଅଛନ୍ତି। ଡିଏନଏ ରିପୋର୍ଟ ଆସିଥିବା ନେଇ ଅନ୍ୟମାନଙ୍କ ଠାରୁ ଜାଣିବା ପରେ ଏମ୍‌ସକୁ ଆସିଥିଲ। ମାତ୍ର ସେ ବି ନିରାଶ ହୋଇଛନ୍ତି। ଡିଏନଏ ରିପୋର୍ଟ ଅପେକ୍ଷାରେ ଆହୁରି ଅନେକ ବ୍ୟକ୍ତି ବର୍ତ୍ତମାନ ବି ଭୁବନେଶ୍ବରରେ ଅଛନ୍ତି। ବାକି ଯେଉଁମାନେ ଗାଁକୁ ଫେରିଛନ୍ତି ସେମାନେ ମଧ୍ୟ ପ୍ରିୟଜନଙ୍କ ପାର୍ଥିବ ଶରୀରର ସତ୍କାର ପାଇଁ ଅପେକ୍ଷା କରି ରହିଛନ୍ତି।

Leave A Reply

Your email address will not be published.