ଶିମିଳିପାଳରେ ବନ୍ଧୁକ କାରଖାନା, ୨ ବନ୍ଧୁକ ସହ ଜଣକୁ ବାନ୍ଧିଲା ପୁଲିସ

ବାରିପଦା/ଠାକୁରମୁଣ୍ଡା : ଶିମିଳିପାଳରେ ଚୋରା ବନ୍ଧୁକ କାରଖାନା ଠାବ କରିଛି ମୟୂରଭଞ୍ଜ ଜିଲ୍ଲା ପୁଲିସ। ଏହି ମାମଲାରେ ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡ଼ିହା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏହାବ୍ୟତୀତ ପୁଲିସ ଅନ୍ୟ ଏକ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ କରିଛି। ୩ଟି ପୁଲିସ ଟିମ୍ ଓ ସଶସ୍ତ୍ର ଫୋର୍ସ ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ପାଦଦେଶ ଅଞ୍ଚଳରେ ଥିବା ଭେଜିଡ଼ିହା ଗାଁର ଜିତୁ ଲୋହାରଙ୍କ ଘରେ ଚଢଉ କରିଥିଲେ। ଖାନତଲାସ ସମୟରେ ଅଭିଯୁକ୍ତ ଘରୁ ଏକ ପୁରୁଣା ଦେଶୀ ବନ୍ଧୁକ, ନୂଆ କରି ନିର୍ମାଣ ହୋଇଥିବା ଗୋଟିଏ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଯଥା ୪ଟି ଷ୍ଟିଲ୍‌ ବ୍ୟାରେଲ, ୨ଟି ସକେଟ୍‌, ଗୋଟିଏ ୱେଲ୍‌ଡିଂ ମେସିନ୍‌ ଓ ଗୋଟିଏ କୁରାଢ଼ି ଜବତ ହୋଇଥିଲା। ଅଭିଯୁକ୍ତ ଜିତୁକୁ ଗିରଫ କରାଯାଇଥିବା ବେଳେ ମହୁଲଡ଼ିହା ଥାନାରେ ୩୯/୨୩ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ମହୁଲଡ଼ିହା ଥାନା ପାତ୍ରପଡ଼ା ଗ୍ରାମର ମାନସିଂ ହୋଙ୍କ ଘରେ ପୁଲିସ ଚଢଉ କରି ସେଠାରୁ ୧୧୦ଟି ବଜ୍ରକାପ୍ତା କାତି ଜବତ କରିଛି।

Leave A Reply

Your email address will not be published.