ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ

ବେତନଟୀ ସଦର/ଶାଳଚୁଆ : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନି ପୁଲିସ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ, ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ ସମନ୍‌ ପରେ ପୁଲିସ ଟିମ୍‌ ୨ ଦିନ ପୂର୍ବେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ହେଲେ ତାଙ୍କର ପତ୍ତା ମିଳିନଥିଲା। ତାଙ୍କ ବାପା, ମାଙ୍କୁ ପଚରାଉଚରା କରାଯାଇଛି। ସେ ଯେଉଁସବୁ ସ୍ଥାନରେ ଥାଇପାରନ୍ତି, ସେଠାରେ ଚଢ଼ଉ ଜାରି ରହିଛି। ଏପଟେ କପ୍ତିପଦା ପୁଲିସର ଅନୁରୋଧ କ୍ରମେ ବିଦ୍ୟାଭାରତୀଙ୍କ ସନ୍ଧାନରେ ଲାଗିଛି ବୈଶିଙ୍ଗା ଥାନା ପୁଲିସ। ବିଦ୍ୟାଭାରତୀ ବର୍ତ୍ତମାନ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ) ଭାବେ କାର୍ଯ୍ୟରତ ଅଛନ୍ତି। ସେଠାରେ ଥାଇପାରନ୍ତି ବୋଲି ସନ୍ଦେହ କରି ଆଜି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ବୈଶିଙ୍ଗା ପୁଲିସ। ତେବେ ସେ ଜୁନ୍‌ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ପୁଲିସକୁ ସୂଚନା ଦେଇଥିଲେ ତାଙ୍କ ଉପରିସ୍ଥ ଅଧିକାରୀ। ସୂଚନାଯୋଗ୍ୟ, ଏସିଏଫ୍‌ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ମଧ୍ୟ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିବାରୁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସ୍‌ଡିଜେଏମଙ୍କ କୋର୍ଟରେରେ ପିଟିସନ୍‌ ଦାଏର କରିଥିଲେ।

Leave A Reply

Your email address will not be published.