ଭଗବାନ ବୈରୀଗଞ୍ଜନ ହତ୍ୟାକାଣ୍ଡ: ପୂର୍ବ ଷଡ଼ଯନ୍ତ୍ର ନଥିଲା, ଗାଡ଼ି ଭିତରେ ବିବାଦରୁ ହତ୍ୟା

କଟକ: କାର୍ ଡ୍ରାଇଭର୍‌ ଭଗବାନ ବୈରୀଗଞ୍ଜନଙ୍କ ହତ୍ୟାକାଣ୍ଡର ୧୦ ଦିନ ପରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ନିଜକୁ ଭାଇଭଉଣୀ କହୁଥିବା ତିନି ଜଣ କଟକ କଲେଜ ଛକରୁ ଯିବା ସମୟରେ ସେଭଳି କୌଣସି ପ୍ରକାର ହତ୍ୟା ଷଡ଼ଯନ୍ତ୍ର କରି ନଥିବା କୁହାଯାଉଛି। ଯାଜପୁର ରୋଡ଼ ଦଳା ଛକ ଅତିକ୍ରମ କଲା ପରେ ଗାଡ଼ି ଭିତରେ ନିର୍ଦ୍ଦିଷ୍ଟ କାରଣ ପାଇଁ ଏହି ତିନି ଜଣ ରାଗିଯାଇଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଭଗବାନଙ୍କୁ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଠାବ କରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରିବାକୁ ଯାଉଛି। ଭଗବାନଙ୍କ ଗଳିତ ଶବ ୨୮ ତାରିଖ ସକାଳ ପ୍ରାୟ ୬ଟା ବେଳେ କେନ୍ଦୁଝର ଘସିପୁରା ଥାନା ଦରଖଳା ଜଙ୍ଗଲରୁ ମିଳିଥିବା ବେଳେ ସେଦିନ ସମାନ ସମୟରେ କଟକ ଜିଲ୍ଲା ଗୋବିନ୍ଦପୁର ରହମ୍ବା ଗାଁ ବାଲିଝରା ଦେବୀନଦୀରୁ ପୁଲିସ ତାଙ୍କ ମାରୁତି ସୁଇଫ୍ଟ ଡିଜାୟାର କାର ଜବତ କରିଥିଲା। ଗୋଟିଏ ସମୟରେ ଦୁଇଟି ଠାବ ହେବା ଘଟଣା ପୁଲିସକୁ ଚକିତ କରିଥିଲା। ତେବେ ପୁଲିସ ଗୋବିନ୍ଦପୁର ଓ ଦରଖଳା ଜଙ୍ଗଲ ନିକଟରୁ ଜବତ ହୋଇଥିବା ଟାଵାର ଡମ୍ପକୁ ମେଳ କରାଯାଇଥିଲା।ଏଥିରେ ସମାନତା ମିଳିବା ପରେ ପୁଲିସ ତିନି ଜଣ ଯୁବକ ଯୁବତୀଙ୍କୁ ଠାବ କରିପାରିଛି। କେନ୍ଦୁଝର ଓ ମାଲଗୋଦାମ ଥାନା ପୁଲିସର ମିଳିତ ତଦନ୍ତ ବେଳେ ଏଭଳି ହତ୍ୟାକାଣ୍ଡ ପଛରେ ଭଗବାନଙ୍କ ସହିତ ଗାଡ଼ି ଚୋରି କାରବାର କି ପୂର୍ବ ଶତ୍ରୁତା ନଥିବା ଜଣାପଡ଼ିଛି। ଏମିତିକି ଏହା କୌଣସି ପ୍ରକାର ଯୋଜନାବଦ୍ଧ ହତ୍ୟାକାଣ୍ଡ ବି ନୁହେଁ ବୋଲି ପୁଲିସ ବର୍ତ୍ତମାନ ସୁଦ୍ଧା ଜାଣିବାକୁ ପାଇଛି। କୌଣସି ଅପରାଧୀ ଗୋଷ୍ଠୀ ବି ଏଥିରେ ସମ୍ପୃକ୍ତ ନଥିବା କୁହାଯାଉଛି। ଗାଡ଼ି ଭିତରେ ତିନି ଜଣ ଯୁବକ ଯୁବତୀ ହଠାତ୍ ଉତକ୍ଷିପ୍ତ ହୋଇଯିବାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ଅନ୍ୟପଟେ କେନ୍ଦୁଝର ଫରେନସିକ୍ ସାଇନ୍ସ ଲାବରେଟୋରି କାର ଭିତରେ ଥିବା ଟାୱେଲରୁ ମିଳିଥିବା ରକ୍ତ ଛିଟା ଭଗବାନଙ୍କର ବୋଲି ସ୍ପଷ୍ଟ କରିଛି। ଯଦିଓ ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି, କିନ୍ତୁ ଭଗବାନଙ୍କ ମୋବାଇଲ୍ ଫୋନ୍ ଓ ପର୍ସ ବର୍ତ୍ତମାନ ସୁଦ୍ଧା ଠାବ ହୋଇପାରିନାହିଁ। ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିବା ପରେ ମୋବାଇଲ୍ ଓ ପର୍ସ ଠାବ କରିବା ପାଇଁ ଦରଖଳା ଜଙ୍ଗଲ ଆଡ଼କୁ ଯିବାକୁ ଯୋଜନା କରୁଛି। ରବିବାର କେନ୍ଦୁଝର ଫେରିଯାଇଥିବା ଘସିପୁରା ଥାନା ପୁଲିସ ପୁଣି ସୋମବାର କଟକ ଫେରିଛି। ଏଠାରେ ତଦନ୍ତ କରୁଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରାଯାଇଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.