ସମୁଦ୍ର ସ୍ନାନକୁ ରିପ୍‌ କରେଣ୍ଟ ବିପଦ: ଅଳ୍ପରେ ବର୍ତ୍ତିଲେ ୫ ପର୍ଯ୍ୟଟକ

ପୁରୀ: ସମୁଦ୍ର ସ୍ନାନରେ କାଳ ସାଜିଛି ରିପ୍‌ କରେଣ୍ଟ। ପର୍ଯ୍ୟଟକମାନେ ଏହି କରେଣ୍ଟକୁ ଚିହ୍ନିପାରୁନଥିବାରୁ ଏହା ମଧ୍ୟରେ ଫସି ଯାଉଛନ୍ତି। ଆଜି ୫ ଜଣ ପର୍ଯ୍ୟଟକ ଦିଗବାରେଣୀ ନିକଟରେ ସମୁଦ୍ର ସ୍ନାନ କରିବା ବେଳେ ଗଭୀର ଜଳରାଶିକୁ ରିପ କରେଣ୍ଟ ଟାଣି ନେଇଥିଲା। ସୌଭାଗ୍ୟବଶତଃ ସେଠାରେ ହରଚଣ୍ଡୀ ଲାଇଫ୍‌ ଗାର୍ଡ ସଦସ୍ୟମାନେ ପହଞ୍ଚି ଉଦ୍ଧାର କରିବାରୁ ୫ ଜଣ ପର୍ଯ୍ୟଟକ ଅଳ୍ପରେ ବର୍ତ୍ତି ଯାଇଛନ୍ତି। ବିଡ଼ମ୍ବନା ହେଲା, ରିପ୍‌ କରେଣ୍ଟ୍‌ର ଆଭାସ ପାଇବା ମାତ୍ରେ ଲାଇଫଗାର୍ଡମାନେ ପର୍ଯ୍ୟଟକଙ୍କୁ ଭିତରକୁ ନଯିବା ପାଇଁ ସତର୍କ କରାଉଛନ୍ତି। କିନ୍ତୁ ପର୍ଯ୍ୟଟକମାନେ କଥା ନମାନି ସମୁଦ୍ର ଭିତରକୁ ଯାଉଥିବାରୁ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହେଉଛି। ୨୦୧୫ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହା ମଧ୍ୟରୁ ଅନେକଙ୍କ ମୃତ୍ୟୁ ପାଇଁ ରିପ୍‌ କରେଣ୍ଟ ହିଁ ଦାୟୀ ବୋଲି ଲାଇଫ୍‌ଗାର୍ଡମାନେ କହିଛନ୍ତି। ବାସ୍ତବ କଥା ହେଉଛି, ସମୁଦ୍ର ମଧ୍ୟରେ ପାଣି ଭିତରେ ବେଳେବେଳେ ରିପ୍‌ କରେଣ୍ଟ ସୃଷ୍ଟି ହୁଏ। ଏହା କ୍ଷୀପ୍ର ଗତି ଲହଡ଼ି ଭାଙ୍ଗି ସୃଷ୍ଟି ହୋଇଥାଏ। ଏହାକୁ ସାଧାରଣ ପର୍ଯ୍ୟଟକ ଚିହ୍ନଟ କରିବା ସମ୍ଭବ ହୋଇନଥିଲେ ହେଁ ଲାଇଫ୍‌ଗାର୍ଡମାନେ ଏଭଳି ସ୍ଥିତି ଦେଖିଲେ ପର୍ଯ୍ୟଟକଙ୍କୁ ସେଠାରେ ପହଁରିବାକୁ ଓ ଗାଧୋଇବାକୁ ବାରଣ କରନ୍ତି। କିନ୍ତୁ ଅଧିକାଂଶ ପର୍ଯ୍ୟଟକ ଲାଇଫ୍‌ଗାର୍ଡଙ୍କ ପରାମର୍ଶ ମାନନ୍ତି ନାହିଁ ବୋଲି ଲାଇଫଗାର୍ଡମାନେ କହିଛନ୍ତି। ମିଳିଥିବା ସୂଚନା ମୁତାବକ, ଆଜି ଏହି ରିପ୍‌ କରେଣ୍ଟ ଯୋଗୁ ଆଗ୍ରାର ବାସିନ୍ଦା ହରି ସିଂହ (୩୫), ହରିୟାଣାର ବିକାଶ ରାୟ (୩୪), ଝାଡ଼ଖଣ୍ଡର ବିଦେଶ ରାମ ରାୟ (୨୨) ଓ ଅମନ ରାୟ (୨୨) ଓ ଆସାମର ନିରଜ ବୋରା (୪୦) ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଏହା ଦେଖି କିଛି ଲୋକଚିତ୍କାର କରିବାରୁ ସେଠାରେ ଥିବା ହରଚଣ୍ଡୀ ଲାଇଫ୍‌ ଗାର୍ଡ ସଂଘର ଲାଇଫଗାର୍ଡମାନେ ତୁରନ୍ତ ସେଠାରେ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.