ଆର୍ଥିକ ଅନଟନର କରୁଣ ପରିଣତି: ଗୋଟିଏ ରଶିରେ ଝୁଲିପଡ଼ିଲେ ଦମ୍ପତି

ତିହିଡ଼ି: ସମ୍ଭାଳି ପାରିଲେନି ଆର୍ଥିକ କଷଣ ଓ ମାନସିକ ଚାପ। ଶେଷରେ ଗୋଟିଏ ରଶିରେ ଝୁଲି ଆତ୍ମହତ୍ୟାର ବାଟ ବାଛିନେଲେ ଦମ୍ପତି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ବାରଣାକୁଳ ଗାଁର ଏହି ଅଭାବନୀୟ ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଛି। ସୋମବାର ରାତିରେ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚଭରଣାକୁ ନେଇ ବାରଣାକୁଳ ଗ୍ରାମର ଉପେନ୍ଦ୍ର ମଳିକ (୫୦) ଓ ତାଙ୍କ ପତ୍ନୀ ମୀନତି (୪୫)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁହେଁ ମାନସିକ ଭାରସାମ୍ୟ ହରାଇ ଶୋଇବା ଘର ଶେଣି କାଠବନ୍ଧରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ଘର କବାଟ ଖୋଲା ନ ଯିବାରୁ ପଡୋଶୀ ସନ୍ଦେହ କରି ଝରକା ବାଟେ ଦେଖିବାରୁ ପତିପତ୍ନୀଙ୍କୁ ମୃତ ଅବସ୍ଥାରେ ଝୁଲୁଥିବା ଦେଖିଥିଲେ। ତିହିଡ଼ି ଥାନା ଅଧିକାରୀ ଏମ୍‌ଡି ହାପିଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ଶ୍ରୀକାନ୍ତ ନାୟକ, ପ୍ରଶାନ୍ତ ଦାସ, ରୂପଶ୍ରୀ ସ୍ବାଇଁ ଘର କବାଟ ଭାଙ୍ଗି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ନେଇ କେସ୍ ନଂ ୨୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.