ସରଗରମ ଛାତ୍ର ରାଜନୀତି: ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନାହାନ୍ତି ସରକାର

ଭୁବନେଶ୍ବର : ଏଥର ମଧ୍ୟ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବ‌ାଚନ କରିବା ସପକ୍ଷରେ ନାହାନ୍ତି ରାଜ୍ୟ ସରକାର। ଦୁଇ ଦିନ ତଳେ ବିଜେବି, ମହର୍ଷି କଲେଜ କ୍ୟାମ୍ପସରେ ଯେଉଁଭଳି ହିଂସା ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏକପ୍ରକାର ନିଷ୍ପତ୍ତି ନେଇଛି। ତେବେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିବାରୁ କ୍ୟାମ୍ପସରେ ପତିଆରା ଜାହିର କରିବାକୁ ରାଜ୍ୟର ତିନୋଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ଆଗେଇ ଆସିଛନ୍ତି। ଶିକ୍ଷାବର୍ଷ ଆରମ୍ଭରୁ କ୍ୟାମ୍ପସରେ ଛାତ୍ର ରାଜନୀତି ଜୋର ଧରିଛି। ନୂଆ କରି କ୍ୟାମ୍ପସରେ ପାଦ ଥପୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସବୁ ସଙ୍ଗଠନ ଲାଗି ପଡ଼ିଛନ୍ତି। ଶିକ୍ଷାବର୍ଷ ଆରମ୍ଭରୁ ବିଜୁ ଛାତ୍ର ଜନତା ଦଳ ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ପାଗ ଭିଡ଼ିଛି। ରାଜ୍ୟବ୍ୟାପୀ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ସହ ସମସ୍ତ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ଜୁଲାଇ ୧୪ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ପଞ୍ଚାୟତରୁ ବୁଥ୍‌ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତା ଚୟନ କରାଯିବାର ନିଷ୍ପତ୍ତି ଏହି ବୈଠକରେ ସ୍ଥିର ହେବ। ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କିଭଳି ବ୍ୟାପକ ପ୍ରଚାର ପ୍ରସାର କରିପାରିବେ, ସେନେଇ ଦିଗ୍‌ଦର୍ଶନ ନେବେ। ବୈଠକରେ ଛାତ୍ର ସଂସଦ ନିର୍ବାଚନ ଉପରେ ବି ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ତେବେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ, ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆମେ କିନ୍ତୁ ନିର୍ବାଚନ ଲାଗି ପ୍ରସ୍ତୁତ ହୋଇ ରହିଛୁ। ରାଜ୍ୟ ସରକାର ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥା’ନ୍ତି। ଏଥର ମଧ୍ୟ ସେହି ଅନୁଯାୟୀ ପଦକ୍ଷେପ ନେବେ ବେଲି ଆଶା ରହିଛି।

Leave A Reply

Your email address will not be published.