ନିରାକାରପୁର : ସାଦାପୋଷାକରେ ଅଭିଯୁକ୍ତକୁ ଗିରଫ କରିବାକୁ ଆସି ପୁଲିସ ମାଡ଼ ଖାଇଫେରିଛି। ପୁଲିସ ମାଡ଼ରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି। ଏଥିସହିତ ନିରାକାରପୁର ଥାନାରେ ଆଜି ଗଡ଼ିଶାଗୋଦା ଥାନା ପୁଲିସ ବିରୋଧରେ ଅଭିଯୋଗ ହୋଇଛି।ଖବର ଅନୁସାରେ, ନିରାକାରପୁର ଥାନା ଅଧୀନସ୍ଥ ଷ୍ଟେସନ୍ ରାସ୍ତାରେ ଥିବା ସୁରଥ ସାମନ୍ତରାୟଙ୍କ ପୁଅକୁ ଗିରଫ କରିବାକୁ ସାଦାପୋଷାକରେ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନାର ଦୁଇଜଣ କନେଷ୍ଟବଳ ଆସିଥିଲେ। ସେମାନେ ସ୍ଥାନୀୟ ଥାନାକୁ ନଜଣାଇ ସିଧାସଳଖ ଶ୍ରୀ ସାମନ୍ତରାୟଙ୍କ ଘର ଭିତରେ ପଶି ତାଙ୍କ ପୁଅକୁ ଭିଡ଼ି ନେଉଥିଲେ। ଦୁଇଜଣ ଅଜଣା ବ୍ୟକ୍ତି ପୁଅକୁ ଭିଡ଼ି ନେଉଥିବା ଦେଖି ସୁରଥଙ୍କ ସ୍ତ୍ରୀ ସେମାନଙ୍କୁ ବିରୋଧ କରିବା ସହ ଆପଣମାନେ କିଏ ଓ କାହିଁକି ମୋ ପୁଅକୁ ଭିଡ଼ି ନେଉଛନ୍ତି ବୋଲି ପଚାରିଥିଲେ। ଏଥିରେ କନେଷ୍ଟବଳ ସୁରଥଙ୍କ ସ୍ତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଠେଲାପେଲା କରିଥିଲେ। ସ୍ତ୍ରୀର ପାଟିଶୁଣି ସୁରଥ ଓ ତାଙ୍କ ଝିଅ ପହଞ୍ଚି ବାରଣ କରିବାରୁ ପୁଲିସ କନେଷ୍ଟବଳ ସେମାନଙ୍କୁ ମାଡ଼ ମାରିଥିଲେ। ପୁଲିସ ମାଡ଼ରେ ସୁରଥଙ୍କ ହାତରେ ଆଘାତ ଲାଗିବା ସହ ସୁରଥଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଆହତ ହୋଇଛନ୍ତି। ଖବରପାଇ ସ୍ଥାନୀୟ ଲୋକେ ଜମା ହୋଇ ପୁଲିସକୁ ଠେଲାପେଲା କରିଥିଲେ। ସେମାନେ ଗଡ଼ିଶାଗୋଦା ଥାନାରେ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଥିବା କହି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।