ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଗଚ୍ଛିତ ରହିଥିବା ବିପୁଳ କୋଭିଡ୍ ଔଷଧ ଓ କିଟ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଛଅ ଛଅଟା ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ହେଁ ନିଆଁକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଛି। ରାତି ଅଧରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା। ନିକଟରେ ଥିବା ଚାଉଳ ଗୋଦାମ ଓ ଅନ୍ୟାନ୍ୟ କାରଖାନାକୁ ନିଆଁ ବ୍ୟାପିବା ଭୟରେ ଲୋକମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ବିଶେଷକରି ଔଷଧ ଗୋଦାମରେ ଥିବା ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ ଭୟରେ ଉକ୍ତ ଅଞ୍ଚଳରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ଆକଳନ ହୋଇନଥିଲେ ବି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। କୋଭିଡ୍ ଔଷଧ ଓ କିଟ୍ ଗୋଦାମ ହୋଇଥିବାରୁ ଅଗ୍ନିକାଣ୍ଡକୁ ନେଇ ନାନା କଥା ସୃଷ୍ଟି ହୋଇଛି। ଏହି ଅଗ୍ନିକାଣ୍ଡ କୌଣସି ଆକସ୍ମିକ କାରଣରୁ ଘଟିଛି ନା କେହି କୌଣସି ଦୁର୍ନୀତିକୁ ଘୋଡ଼ାଇବାକୁ ଯାଇ ଏଭଳି କାଣ୍ଡ ଭିଆଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।