‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା

ଭୁବନେଶ୍ବର : ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ଯୋଜନା ଏଭଳି ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ଼ ଓ ଡେଣା ହେବ ଶକ୍ତ। ଏଭଳି ଏକ ଆଧୁନିକ ଓଡ଼ିଶା ଗଠନ ହେବ, ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡ଼ିଶା ସବୁବେଳେ ତା’ର ସଂସ୍କୃତି, ପରମ୍ପରା ଓ ଇତିହାସ ସହିତ ଦୃଢ଼ ଭାବରେ ଯୋଡ଼ି ହୋଇ ରହିଛି। ଓଡ଼ିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି। ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଐତିହାସିକ ପଦକ୍ଷେପ ନେଇଛୁ। ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ଜରୁରୀ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବେ। ନୂଆ ଓଡ଼ିଶା ତା’ର ମୂଳ ଭିତ୍ତିକୁ ସୁଦୃଢ଼ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତା’ର ଡେଣାକୁ ଅଧିକ ପ୍ରସାରିତ କରିବ।ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ଗାଁଗୁଡ଼ିକରେ ଯୁବ ସମାଜ ପାଇଁ ଇଣ୍ଟର୍‌ନେଟ୍‌ ସଂଯୋଗ ଦରକାର। ଖେଳ ପଡ଼ିଆ ଓ ବିଜ୍ଞାନ ପାର୍କ ଦରକାର। ସେମାନଙ୍କ ପାଇଁ ତାଲିମ ସୁବିଧା ମଧ୍ୟ ଦରକାର। ଗାଁର ଉଦ୍ୟୋଗୀ ବିଶେଷ କରି ମା’ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର। ମୁଁ ଚାହେ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ। ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉ। ତା’ ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମ ଅଧୀନରେ ଗାଁର ମନ୍ଦିରମାନଙ୍କର ପୁନରୁଦ୍ଧାର ଠାରୁ ଆରମ୍ଭ କରି ଡିଜିଟାଲ୍‌ ଭିତ୍ତିଭୂମି କାମ ପରି ଭବିଷ୍ୟମୁଖୀ ଯୋଜନା କରାଯିବ। ଉଭୟ କାମ ଏକ ସମୟରେ ଚାଲିବ। ଏହା ଓଡ଼ିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ।

Leave A Reply

Your email address will not be published.