ଆନନ୍ଦବଜାର ବିଶୃଙ୍ଖଳା ସୀମା ଲଂଘିଲାଣି: ଭକ୍ତଙ୍କୁ କରୁଛନ୍ତି ଲହୁଲୁହାଣ

ପୁରୀ : ଶ୍ରୀମନ୍ଦିର ଆନନ୍ଦବଜାରରେ ଦିନକୁ ଦିନ ବିଶୃଙ୍ଖଳା ସୀମା ଲଂଘିବାରେ ଲାଗିଛି। ବିଗତ କିଛି ମାସ ଭିତରେ ଭକ୍ତଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଆଉ ଏକ ଘଟଣାର ପୁନରାବୃତ୍ତି ଘଟିଛି। କୋରାପୁଟରୁ ଆସିଥିବା ଜଣେ ବୃଦ୍ଧା ଭକ୍ତ ଓ ତାଙ୍କ ପୁଅଙ୍କୁ ଆନନ୍ଦବଜାରରେ ମାଡ଼ ମରାଯାଇଛି। ଖାଇବାପତ୍ରକୁ ଫିଙ୍ଗି ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ଏଭଳି ଘଟଣାକୁ ଭକ୍ତ ମହଲ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ବିଶୃଙ୍ଖଳାକାରୀକୁ ଆନନ୍ଦବଜାରରୁ ସବୁଦିନ ପାଇଁ ତଡ଼ିବାକୁ ଦାବି କରିଛନ୍ତି। ସୁଆର ମହାସୁଆର ନିଯୋଗ ବି ଭକ୍ତଙ୍କ ଏହି ସ୍ବରରେ ସ୍ବର ମିଳାଇଛି। ଏଭଳି ବିଶୃଙ୍ଖଳିତ ବ୍ୟକ୍ତି ତଥା ଅଣସୁପକାରମାନଙ୍କୁ ଆନନ୍ଦବଜାରରୁ ତଡ଼ାଯିବା ଦରକାର ବୋଲି ନିଯୋଗ ସଂପାଦକ ନାରାୟଣ ମହାସୁଆର ମତ ଦେଇଛନ୍ତି। ପୂର୍ବରୁ ଭକ୍ତମାନେ ମହାପ୍ରସାଦ ପାଇଁ ଉତ୍ତରଦ୍ବାରରେ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏବେ ଏହି ଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ବନ୍ଦ କରିଦେଇଛି। ଫଳସ୍ବରୂପ ଭକ୍ତ ମହାପ୍ରସାଦ ପାଇଁ ସିଂହଦ୍ବାରରେ ଲମ୍ବାଧାଡ଼ିରେ ନ ଯାଇ ଉତ୍ତରଦ୍ବାରରେ ଛିଡ଼ା ହୋଇଥିବା ଦଲାଲଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଦଲାଲମାନେ ବି ଆନନ୍ଦବଜାରରୁ ଯେଉଁ ଦରରେ ମହାପ୍ରସାଦ ନେଉଛନ୍ତି, ତାର ଦୁଇଗୁଣା ଦର ଭକ୍ତଙ୍କଠାରୁ ଆଦାୟ କରୁଛନ୍ତି। ପ୍ରତିଦିନ ଡ୍ୟୁଟିରେ ଥିବା ପୁଲିସମାନଙ୍କ ଆଗରେ ଭକ୍ତ ଏଭଳି ଶୋଷଣର ଶିକାର ହେଉଥିଲେ ବି ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ସେପଟେ ଯେଉଁ ଭକ୍ତମାନେ ଆନନ୍ଦବଜାରକୁ ମହାପ୍ରସାଦ ସେବନ ଅବା ନେବାକୁ ଆସୁଛନ୍ତି, ସେମାନେ ମାଡ଼, ଅଶ୍ଳୀଳ ଗାଳିଗୁଲଜର ଶିକାର ହେଉଛନ୍ତି। ମହାପ୍ରସାଦ କିଣିବାକୁ ଯାଉଥିବା ଭକ୍ତଙ୍କୁ ତାଙ୍କଠାରୁ ମହାପ୍ରସାଦ କିଣିବା ପାଇଁ ସହାୟକମାନେ ଟଣାଓଟରା କରୁଛନ୍ତି। ଭକ୍ତିଭାବ ନେଇ ଆନନ୍ଦବଜାରକୁ ଯାଇଥିବା ଭକ୍ତଙ୍କୁ କାନ୍ଦି କାନ୍ଦି ଫେରିବାକୁ ପଡ଼ିଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ତଥାପି ଆନନ୍ଦବଜାରର ଏହି ବିଶୃଙ୍ଖଳା ଉପରେ ଆମେ ଖୁବଶୀଘ୍ର ବୈଠକ ଡାକୁଛୁ। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।

Leave A Reply

Your email address will not be published.