ବିଜାପୁର ଜିଲ୍ଲା ଚିନ୍ନାଗେଲୁର ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା 

 ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିନ୍ନାଗେଲୁର ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା ହୋଇଛି। ମାଓବାଦୀ କ୍ୟାମ୍ପକୁ ଲକ୍ଷ୍ୟ କରି ଦେଶୀ ରକେଟ୍ ମାଡ଼ କରିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ। ଯବାନମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ପାଲଟା ଗୁଳିଚାଳନା କରିବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। କ୍ୟାମ୍ପରେ ଥିବା ସମସ୍ତ ଯବାନ ସୁରକ୍ଷିତ ଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।ବିଜାପୁର ଜିଲ୍ଲାର ଚିନ୍ନାଗେଲୁର ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ ସିଆର୍‌ପିଏଫ୍ କ୍ୟାମ୍ପ ରହିଛି। ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ଜଙ୍ଗଲପଟୁ ଆସି ଅଚାନକ ଭାବେ କ୍ୟାମ୍ପ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିସହ ହାତ ତିଆରି ରକେଟ୍ କ୍ୟାମ୍ପ ଉପରକୁ ଲକ୍ଷ୍ୟ କରି ଛାଡ଼ିଥିଲେ। ଗୁଳି ଶବ୍ଦ ଶୁଣି ଯବାନମାନେ ନିଜକୁ ପ୍ରସ୍ତୁତ କରି ପାଲଟା ଗୁଳିଚାଳନା ଆରମ୍ଭ କରିଥିଲେ। ପ୍ରାୟ ଅଧା ଘଣ୍ଟା ସମୟ ଉଭୟପଟୁ ଗୁଳିଚାଳନା ହୋଇଥିବା ବେଳେ ଶେଷରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ମାଓବାଦୀଙ୍କ ବିରୋଧରେ ଅପରେସନ୍ ମନସୁନ୍‌ ଆରମ୍ଭ କରିଥିବା ବେଳେ ଯବାନମାନେ କମ୍ବିଂ ଅପରେସନକୁ ଜୋରଦାର କରି ମାଓ ଶିବିରଗୁଡ଼ିକୁ ଧ୍ବଂସ କରିବାରେ ଲାଗିଛନ୍ତି। ପ୍ରତିବାଦରେ ମାଓବାଦୀ ସୁରକ୍ଷା ବାହିନୀ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ମାଓ ଦମନ କ୍ଷେତ୍ରରେ ଦାନ୍ତେଵାଡ଼ା ଜିଲ୍ଲା ପୁଲିସକୁ ସଫଳତା ମିଳିଛି। ସିମେଲ-ତୁମ୍ମାପାଦ ପାହାଡ଼ରେ ପାଖାପାଖି ୮୦ରୁ ଊର୍ଦ୍ଧ୍ବ ମାଓବାଦୀ ଠୁଳ ହୋଇଥିବା ସୂଚନା ମିଳିବା ପରେ ଡିଆରଜି, ଏସଟିଏଫ୍‌ ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ତେବେ ଯବାନଙ୍କୁ ଦେଖି ମାଓବାଦୀ ଶିବିର ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଯବାନମାନେ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ, ମାଓ ପୋଷାକ, ଔଷଧ, ପୁସ୍ତକ ସହିତ ବହୁ ନିତ୍ୟ ବ୍ୟବହାର ସାମଗ୍ରୀ ଜବତ କରିଥିଲେ। ତେବେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଇଡି ବୋମା ବିଛାଇଥିଲେ। ଯବାନମାନେ ଆଇଇଡି ବୋମା ଖଞ୍ଜା ଯାଇଥିବା ଜାଣିବା ପରେ ବମ୍‌ ସ୍କ୍ବାର୍ଡ ସେଠାରେ ପହଞ୍ଚି ୪ଟି ଆଇଇଡି ବୋମାକୁ ନିଷ୍କ୍ରିୟ କରିଥିଲେ। ସେହିପରି ସୁକୁମା ଜିଲ୍ଲାର ସିମେଲ ପାହାଡ଼ ନିକଟରେ ମଲାଙ୍ଗୀର ଏରିଆ କମିଟିର ପ୍ରାୟ ୩୦ରୁ ଅଧିକ ମାଓବାଦୀ ଠୁଳ ହୋଇଥିବା ପୁଲିସ ଖବର ପାଇଥିଲା। ଏହାପରେ ଡିଆରଜି ଯବାନମାନେ କୁମ୍ବିଂ ଅପରେସନରେ ବାହାରିଥ‌ିଲେ। ତେବେ ଡିଆରଜି ଯବାନଙ୍କୁ ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ। ଉଭୟପଟୁ ପ୍ରାୟ ଏକ ଘଣ୍ଟା ଧରି ଗୁଳିଚାଳନା ହୋଇଥିଲା। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ମାଓବାଦୀ ଜଙ୍ଗଲ ରାସ୍ତା ଦେଇ ଖସି ଯାଇଥିଲେ।

Leave A Reply

Your email address will not be published.