ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ

ଭୁବନେଶ୍ୱର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ‘କୌଶଳୀ ସ୍କୁଲ’ କ୍ଲବ୍‌ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଗୁରୁବାରଠାରୁ ତିନିଦିନ ଧରି ଭୁବନେଶ୍ୱରର ୩ଟି ଉଚ୍ଚ ବିଦ୍ୟାଳୟ ଯଥା ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ୍‌ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ପ୍ରଶିକ୍ଷକ(ମାଷ୍ଟର ଟ୍ରେନର)ମାନଙ୍କୁ ତାଲିମ ଦିଆଯାଉଛି। ବ୍ଲକ୍‌ସ୍ତରରୁ ୮୯ ଜଣ ବିଜ୍ଞାନ ଶିକ୍ଷକ ଏଥିରେ ଯୋଗ ଦେଇଛନ୍ତି। ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ମୋ’ ସ୍କୁଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି। ବିଦ୍ୟାଳୟଗୁଡ଼ିକରେ ସ୍କୁଲ କ୍ଲବ୍‌ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ କରାଯାଉଛି। ପାଠ୍ୟକ୍ରମରେ ୪ଟି ସ୍କୁଲ କ୍ଲବ୍‌(କ୍ରୀଡ଼ାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା) ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ସଫଳ ପରିଚାଳନା ପାଇଁ ଏବେ ମୁଖ୍ୟ ପ୍ରଶିକ୍ଷକଙ୍କୁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଦିଆଯାଉଛି। ଗତ ସପ୍ତାହରେ କ୍ରୀଡ଼ାଙ୍ଗନ କ୍ଲବ୍‌ ନିମନ୍ତେ ପ୍ରଶିକ୍ଷଣ ଶେଷ ହୋଇଛି। ଏବେ କୌଶଳୀ କ୍ଲବ୍‌ର ପ୍ରଶିକ୍ଷଣ ଆରମ୍ଭ ଚାଲିଛି। ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକ୍‌ରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ସମୟରେ ମୁଖ୍ୟ ପ୍ରଶିକ୍ଷକମାନେ ବ୍ଲକ୍‌ସ୍ତରରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ। ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ସହଭାଗିତାରେ ମୋ’ ସ୍କୁଲ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି। ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତି କରି ଶିକ୍ଷା ବିଭାଗ ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦେଉଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.