ପ୍ରଦୂଷଣର ଉତ୍କଟ ଜ୍ବାଳା ସହୁଥିବା ଓଡ଼ିଶାରୁ ଉତ୍ପାଦିତ ତାପଜ ବିଦ୍ୟୁତକୁ ଏନ୍‌ଟିପିସି ଶସ୍ତାରେ ତାମିଲନାଡୁକୁ ଯୋଗାଉଛି।

ଭୁବନେଶ୍ବର : ପ୍ରଦୂଷଣର ଉତ୍କଟ ଜ୍ବାଳା ସହୁଥିବା ଓଡ଼ିଶାରୁ ଉତ୍ପାଦିତ ତାପଜ ବିଦ୍ୟୁତକୁ ଏନ୍‌ଟିପିସି ଶସ୍ତାରେ ତାମିଲନାଡୁକୁ ଯୋଗାଉଛି। ଅଥଚ ଓଡ଼ିଶାର ଉପଭୋକ୍ତାଙ୍କ ପାଇଁ ଏହା ମହଙ୍ଗା। ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ଚାହିଦା ପୂରଣ ପାଇଁ ଆବଣ୍ଟିତ ମନୋହରପୁର ଖଣିର କୋଇଲା ଦର ରାଜ୍ୟ ପାଇଁ ୮୦% ମହଙ୍ଗା। ସମାନ ସର୍ତ୍ତରେ ସୁନ୍ଦରଗଡ଼ ଜିଲ୍ଲା ଡୁଲୁଙ୍ଗା ଖଣିରୁ ଦର୍ଲିପାଲିସ୍ଥିତ ଏନ୍‌ଟିପିସି ଯଥେଷ୍ଟ ସୁଲଭ ମୂଲ୍ୟରେ କୋଇଲା ପାଉଛି। ରାଜ୍ୟ ସରକାରଙ୍କ ନୀତିଗତ ବିଭ୍ରାଟ ଯୋଗୁଁ ଓଡ଼ିଶାର ଉପଭୋକ୍ତାମାନେ ଏଭଳି ଢଙ୍ଗରେ ଶୋଷିତ ହେଉଛନ୍ତି। ଆହୁରି ସାଂଘାତିକ କଥା ହେଉଛି, ଏହି ଦୁଇଟି ଜନସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଇନଗତ ସମୀକ୍ଷା ନକରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ତାହାକୁ ଆଖିବୁଜା ଅନୁମୋଦନ କରୁଛନ୍ତି। ଉପଭୋକ୍ତାମାନେ ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ଲୁଟ୍‌ର ଶିକାର ହେଉଥିଲେ ହେଁ, ସେମାନେ ପ୍ରତିବାଦ କରିନାହାନ୍ତି। ସେପଟେ କିନ୍ତୁ ବିଦ୍ୟୁତ୍ ସମୀକ୍ଷକମାନଙ୍କୁ ଏହା ଆନ୍ଦୋଳିତ କରୁଛି। କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ କୋଇଲା ଉତ୍ତୋଳନ କ୍ଷେତ୍ରରେ ବିନିଯୋଗ (ଇନ୍‌ପୁଟ୍‌) ମୂଲ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦିଷ୍ଟ ଅଧିନିୟମ ପ୍ରଣୟନ କରିଛନ୍ତି। ବିଦ୍ୟୁତ ଆଇନ-୨୦୦୩ର ଧାରା ୬୧ (କ) ଅନୁସାରେ ସବୁ ରାଜ୍ୟର ଆୟୋଗମାନେ ଏସବୁ ମାନିବାକୁ ବାଧ୍ୟ। ମାତ୍ର ଓଇଆର୍‌ସି ଏହି ବିଧିବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି। ସ୍ମରଣଯୋଗ୍ୟ ଯେ କୋଇଲା ଖଣି ଆବଣ୍ଟନରେ ଅନୁସୃତ ତ୍ରୁଟିପୂର୍ଣ୍ଣ ପଦ୍ଧତି ଯୋଗୁଁ ଦେଶ ୧ ଲକ୍ଷ ୮୬ ହଜାର କୋଟି ଟଙ୍କାର ରାଜସ୍ବ ହରାଇଛି ବୋଲି ତତ୍କାଳୀନ ସିଏଜି ବିନୋଦ ରାୟ ଆପତ୍ତି ଉଠାଇଥିଲେ। ଏହାକୁ କେନ୍ଦ୍ର କରି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଏହି ମାମଲାରେ ସୁପ୍ରିମ୍ କୋର୍ଟ ୨୦୧୪ ଅଗଷ୍ଟରେ ୨୦୪ କୋଇଲା ଖଣିର ଲିଜ୍‌ ରଦ୍ଦ କରିଥିଲେ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଶେଷରେ କୋଇଲା ଖଣି ଆବଣ୍ଟନ ପାଇଁ ନୂଆ ଆଇନ ଆଣିଥିଲେ। ସେହି ସ୍ବତନ୍ତ୍ର ଆଇନ (coal mines special provision act)ରେ ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଯାଇ କେନ୍ଦ୍ର ସରକାର କହିଲେ ଯେ ସରକାରୀ ଉଦ୍ୟୋଗଗୁଡ଼ିକର ନିଜସ୍ବ ଉପଯୋଗ ଲାଗି କୋଇଲା ଖଣି ଆବଣ୍ଟନ କରାଯାଉଛି। ଏଣୁ ପ୍ରମୁଖ ସର୍ତ୍ତ ରହୁ ଯେ ଆବଣ୍ଟିତ କୋଇଲା ଖଣିକୁ ବ୍ୟାବସାୟିକ ଲାଭ ଉଦ୍ଦେଶ୍ୟରେ ଉପଯୋଗ କରାଯାଇ ପାରିବ ନାହିଁ। ବରଂ ତାହାର ମୂଲ୍ୟଯୁକ୍ତ ଉପଯୋଗର ଫାଇଦାରେ ଉପଭୋକ୍ତାମାନେ ଅଂଶୀଦାର ହେବେ।

Leave A Reply

Your email address will not be published.