୩୦ ତାରିଖରୁ ରାଜ୍ୟରେ ପୁଣି ଭଲ ବର୍ଷା ହେବ

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ପାଖାପାଖି ଅଞ୍ଚଳରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟ ଆଜି ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହା ଏବେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଅଞ୍ଚଳ ଉପରେ ରହିଛି। ଏଥିସହ ମୌସୁମୀଜନିତ ନିମ୍ନ ଚାପରେଖା ଗୁରୁବାର ଦିନ ରାଜସ୍ଥାନର ବିକେନାର୍‌ରୁ ବାହାରି କୋଟା, ରାଇସେନ, ଦୁର୍ଗ ଓ ପଶ୍ଚିମ ଦକ୍ଷିଣ-ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ କ୍ଷେତ୍ରର କେନ୍ଦ୍ରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗୁରୁବାର ଦିନ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ଆଜି ମଧ୍ୟ ରାଜ୍ୟର ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୩୦ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ। ମୌସୁମୀଜନିତ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେଧୀରେ ତା’ର ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ୩୦ ତାରିଖରୁ ବର୍ଷା ବଢ଼ିବାର ସମ୍ଭାବନା ରହୁଛି। ଚଳିତ ମୌସୁମୀ ଋତୁରେ, ୧ ଜୁନ୍‌ରୁ ୨୭ ଜୁଲାଇ ମଧ୍ୟରେ ରାଜ୍ୟରେ ୪୪୦.୯ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୫୦୧.୬ ମିମି ତୁଳନାରେ ୧୨ ପ୍ରତିଶତ କମ୍‌। ଏହି ସମୟ ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୯୦ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ ୪୭% ଅଧିକ। ସେହିପରି ପୁରୀରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି। ପୁରୀରେ ରାଜ୍ୟର ସର୍ବନିମ୍ନ ୨୭୬.୧ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩୧% କମ୍‌। ସେହିଭଳି ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତ ବର୍ଷା ସହ ୧୫.୧ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୨.୬ ମିମି ତୁଳନାରେ ୨୦% ଅଧିକ। ଜୁଲାଇ ଶେଷ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହୁଥିବାରୁ ଜୁଲାଇ ମାସ ସ୍ବାଭାବିକ ବର୍ଷାରେ ସରିବ ବୋଲି ଆଶା କରାଯାଉଛି। ଆଜି ରାଜଧାନୀ ଭୁବନେଶ୍ବରର ପାଗ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ। ସର୍ବାଧିକ ତାପମାତ୍ରା ୩୧ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିପାରେ।

Leave A Reply

Your email address will not be published.