ରାଜ୍ୟସ୍ତରୀୟ ରସାବଳି ଦିବସ ପାଳିତ

 ଚନ୍ଦ୍ରଶେଖରପୁର: ଆଜି ଗୁରୁ କେଳୁଚରଣ ମହାପାତ୍ର ‌ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ରସାବଳି ଦିବସ ଉତ୍ସବ। ଉତ୍ସବକୁ ଓଡିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତିର ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆବାହକ ଜ୍ୟୋସ୍ନାମୟୀ ପରିଡାଙ୍କ ନେତୃତ୍ବରେ ଅପରାହ୍ନରେ ଗୋ’ମାତା ପୂଜନ କରାଯାଇଥିଲା। ପରେ କେନ୍ଦ୍ରାପଡ଼ାରୁ ଆସିଥିବା ପାଲା, କେନ୍ଦେରା, ସଂକିର୍ତ୍ତନ, ଚଢ଼େଇନାଟର କଳାକାରମାନେ କଳା ପ୍ରଦର୍ଶନ କରିଥିଲେ। ସଂଧ୍ୟାରେ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜିଉଙ୍କ ଜନ୍ମଦିନ ଅବସରରେ ପାରମ୍ପରିକ ରକ୍ଷା ବନ୍ଧନ ଉତ୍ସବ ଓ ସଂଧ୍ୟା ଆଳତି କରାଯାଇଥିଲା। ଏହାପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳି ଷ୍ଟଲକୁ ଉଦ୍‌ଘାଟନ କରାଯାଇଥିଲା।

ରସାବଳି ପ୍ରସାଦକୁ ଉପସ୍ଥିତ ଦର୍ଶକ ଖାଇ ଆନନ୍ଦିତ ହୋଇଥିଲେ। ଶ୍ରୀଶ୍ରୀ ବଳଦେବଜିଉଙ୍କ ପ୍ରିୟ ଭୋଗ ରସାବଳିକୁ ମହାପ୍ରଭୁ ବଳଦେବଙ୍କ ଜନ୍ମଦିନ ରକ୍ଷାବନ୍ଧନରେ ‘ରସାବଳି ଦିବସ’ ଭାବେ ପ୍ରତିବର୍ଷ ପାଳନ କରିବା ତଥା ରସାବଳିକୁ ସରକାର ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରନ୍ତୁ ନିବେଦନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା। ସଂଧ୍ୟାର ଉତ୍ସବରେ ବିଧାୟକ ଶଶିଭୂଷଣ ବେହେରା, ମେୟର ସୁଲୋଚନା ଦାସ, ସଂସ୍କୃତି ନିର୍ଦେଶକ ଦିଲ୍ଲୀପ ରାଉତରାୟ, ଓଟିଡ଼ିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନନ୍ଦୀଘୋଷ ଟିଭି ମୁଖ୍ୟ ଶିଶିର ଭଟ୍ଟମିଶ୍ର, ସାଂସଦ ଅମର ପଟ୍ଟନାୟକ, ଯୁବନେତା ସଞ୍ଜୟ ଅଗ୍ରୱାଲ, ଏମଏସଏମଇ ବିଭୂତିଭୁଷଣ ଦାସ ଓ ସମ୍ବିତ ପରିଡ଼ା ଅତିଥିଭାବେ ଯୋଗଦେଇ ରସାବଳି ଦିବସକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ରସାବଳିକୁ ନେଇ ଜୟଶ୍ରୀ ଧଳଙ୍କ ଏକ ମ୍ୟୁଜିକ ଭିଡ଼ିଓ ଓ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶେଷରେ ରସାବଳି ଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Umasankar Adv
Leave A Reply

Your email address will not be published.