ବର୍ଷାଭାବରୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ମରୁଡ଼ି ସ୍ଥିତି

 ସିନାପାଲି/କୋକସରା: ବର୍ଷାଭାବରୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଶ୍ରାବଣ ମାସ ସରିଯାଇଥିବା ବେଳେ ବହୁ ଚାଷ ଜମିରେ ଏବେ ବି ରୁଆ ଓ ବେଉଷଣ କାର୍ଯ୍ୟ ହୋଇପାରି ନାହିଁ। ଧାନ ଫସଲ ନଷ୍ଟ ହେବାକୁ ଲାଗିଥିବାରୁ ଜମିରେ ଗାଈଗୋରୁ ଛାଡ଼ି ଦିଆଯିବା ଭଳି ସଂଗିନ ସ୍ଥିତି ଦେଖାଦେଇଛି।

gpkandhamal

କୃଷି ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ଏହି ବ୍ଲକର ୨୭ଟି ପଞ୍ଚାୟତରେ ୧୦୮୪୧ ହେକ୍ଟର ଜମିରେ ଧାନ ବୁଣା ଯାଇଥିବା ବେଳେ ତନ୍ମଧ୍ୟରୁ ୧୦୨୨ ହେକ୍ଟର ଜମିରେ ଅଦ୍ୟାବଧି ବେଉଷଣ ସରିନାହିଁ। ସେହିପରି ୩୦୦୭ ହେକ୍ଟର ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୪୦ ହେକ୍ଟର ଜମିରେ ପାଣି ଅଭାବ ଯୋଗୁଁ ରୁଆ କାର୍ଯ୍ୟ ହୋଇ ପାରିନାହିଁ। ଅନେକ ସ୍ଥାନରେ ଉଠା ଜଳସେଚନ ବ୍ୟବସ୍ଥା କରି ଚାଷ ବଞ୍ଚାଇବା ଉଦ୍ୟମ କରୁଛନ୍ତି। ହେଲେ ସପ୍ତାହେ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଇଛି। ନଈ ନାଳରେ ଜଳସ୍ରୋତ କମି ଯାଇଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି। ନଙ୍ଗଲବୋଡ, ଘାଟମାଲ, ନୂଆମାଲପଡା ଆଦି ପାହାଡ଼ିଆ ଅଞ୍ଚଳରେ ଜମି ଶୁଖିଯିବାରୁ ଲୋକେ ଗାଈଗୋରୁ ଛାଡ଼ି ଦେଇଛନ୍ତି। ତେବେ ନିଅଣ୍ଟିଆ ବର୍ଷା ହିଁ ମରୁଡ଼ିର କାରଣ ବୋଲି ଚାଷୀ କହିଛନ୍ତି। ଚଳିତ ବର୍ଷ ଜୁନ୍‌ରେ ଏହି ବ୍ଲକରେ ମାତ୍ର ୫୨ ମିମି ବର୍ଷା ହୋଇଥିବା ବେଳେ ଜୁଲାଇରେ ୨୨୮ .୮ ମିମି ଓ ଅଗଷ୍ଟରେ ଆଜି ସୁଦ୍ଧା ୨୩୨ ମିମି ବର୍ଷା ରେକର୍ଡ କରାଇଯାଇଛି। ଯାହା କି ଜିଲ୍ଲାର ଅନ୍ୟ ବ୍ଲକର ବୃଷ୍ଟିପାତ ତୁଳନାରେ ବହୁ କମ୍‌। ସେହିପରି ୨୦୨୦ରେ ଜୁନ ମାସରେ ୩୩୬.୮ ମିମି, ଜୁଲାଇରେ ୩୯୮ମିମି ଓ ଅଗଷ୍ଟ ମାସରେ ୨୦୫ ମିମି ବର୍ଷା ହୋଇଥିବା ବେଳେ ୨୦୨୧ ଜୁନରେ ୧୮୩ମିମି, ଜୁଲାଇରେ ୩୨୫.୧ ମିମି, ଅଗଷ୍ଟରେ ୨୦୯. ୬ ମିମି ବର୍ଷା ହୋଇଥିଲା। ସେହି ବର୍ଷ ସେପ୍ଟେମ୍ବରରେ ମଧ୍ୟ ୩୦୧.୬ ମିମି ବର୍ଷା ହୋଇଥିଲା। ଫଳରେ ଚାଷ ଭଲ ହୋଇଥିଲା। ସେହିପରି ୨୦୨୨ରେ ମଧ୍ୟ ଜୁନରେ ୧୦୪.୯ ମିମି, ଜୁଲାଇରେ ୪୮୮.୧ ମିମି ଓ ଅଗଷ୍ଟରେ ୪୬୬ .୮ ମିମି ଓ ସେପ୍ଟେମ୍ବରରେ ମଧ୍ୟ ୧୬୧.୯ ମିମି ବର୍ଷା ହୋଇଥିଲା। ଜୁନରୁ ଅଗଷ୍ଟ ମାସ ମଧ୍ୟରେ ୨୦୨୦ରେ ୧୦୩୯.୮ ମିମି, ୨୦୨୧ରେ ୭୧୭.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ହେଲେ ଚଳିତ ବର୍ଷ ଆଜି ସୁଦ୍ଧା ଅର୍ଥାତ୍‌ ଗତ ତିନି ମାସ ମଧ୍ୟରେ ମାତ୍ର ୫୧୩ ମିମି ବର୍ଷା ହୋଇଥିବାରୁ ମରୁଡ଼ି ସ୍ଥିତି ଦେଖାଦେଇଛି। ଏସମ୍ପର୍କରେ କୃଷି ଅଧିକାରୀ ସୁଧାଂଶୁ ଶେଖର ମେହେରଙ୍କୁ ପଚାରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମରୁଡ଼ି ସଂକ୍ରାନ୍ତୀୟ କୌଣସି ସୂଚନା ହସ୍ତଗତ ହୋଇନାହିଁ। ଉଭୟ ରାଜସ୍ବ ଓ କୃଷି ବିଭାଗର ଯୁଗ୍ମ ତଦାରଖ ପରେ ନିଷ୍ପତ୍ତି ନିଆଯିବ। ଆମ ରିପୋର୍ଟ ଆମେ ଜଣାଇ ସାରିଛୁ ବୋଲି ସେ କହିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ପଞ୍ଚାୟତରେ ମରୁଡ଼ି ସ୍ଥିତି ଦେଖାଦେଇଛି।

Umasankar Adv
Leave A Reply

Your email address will not be published.