୮୦ ପ୍ରତିଶତ ଭାରତୀୟଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୮୦ ପ୍ରତିଶତ ଭାରତୀୟଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୮ ଜଣ ‌ମୋଦୀଙ୍କ ସପକ୍ଷରେ ବା ମୋଦୀଙ୍କ ପାଇଁ ଅନୁକୂଳ ମତ ଦେଇଛନ୍ତି। ଏଥିସହିତ ନିକଟ ଅତୀତରେ ବିଶ୍ବ‌ରେ ଭାରତର ପ୍ରଭାବ ବଢ଼ିଥିବା ବିଷୟ ସର୍ଭେରେ ଭାଗ ନେଇଥିବା ଲୋକମାନେ ମତ ଦେଇଛନ୍ତି। ୫୫ ପ୍ରତିଶତ ଲୋକ ମୋଦୀଙ୍କ ସପକ୍ଷରେ ଅତ୍ୟନ୍ତ ଅନୁକୂଳ ମତ ଦେଇଛନ୍ତି। ଅନ୍ୟପକ୍ଷରେ କେବଳ ୨୦ ପ୍ରତିଶତ ଲୋକ ମୋଦୀଙ୍କ ସଂପର୍କରେ ନକାରାତ୍ମକ ମତ ଦେଇଛନ୍ତି।

gpkandhamal

ନୂଆଦିଲ୍ଲୀରେ ଆସନ୍ତାମାସରେ ଜି-୨୦ ଶୀର୍ଷ ସମ୍ମିଳନୀ ହେବାକୁ ଯାଉଥିବାବେଳେ ପିୟୁ ରିସର୍ଚ୍ଚ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ସର୍ଭେରେ ଭାଗ ନେଇଥିବା ୭୦ ପ୍ରତିଶତ ଲୋକ ନିକଟ ଅତୀତରେ ଭାରତର ପ୍ରଭାବ ବିଶ୍ବରେ ବୃଦ୍ଧି ପାଉଥିବା କହିଥିବାବେଳେ ୨୦ ପ୍ରତିଶତରୁ କମ୍ ଲୋକ ଭାରତ ଦୁର୍ବଳ ହେଉଥିବା ମତ ଦେଇଛନ୍ତି। ୬୫ ପ୍ରତିଶତ ଭାରତୀୟ ଆମେରିକା ସପକ୍ଷରେ ମତ ଦେଇଥିବାବେଳେ ୪୦ ପ୍ରତିଶତ କହିଛନ୍ତି ଯେ ରୁଷ୍‌ର ପ୍ରଭାବ ମଜଭୁତ ହୋଇଛି। ଚୀନ ବିରୋଧରେ ଭାରତୀୟଙ୍କ ନକାରାତ୍ମକ ମତ ୨୦୧୯ ସର୍ଭେ ତୁଳନାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦୁଇ ତୃତୀୟାଂଶ ଲୋକ ଚୀନ ବିରୋଧରେ ପ୍ରତିକୂଳ ମତ ଦେଇଛନ୍ତି। ଭାରତ ଏକମାତ୍ର ମଧ୍ୟମ ଆୟବର୍ଗର ଦେଶ ଯେଉଁଠି ଚୀନ ବିରୋଧରେ ସଂଖ୍ୟାଗରିଷ୍ଠ ଲୋକ ମତ ଦେଇଛନ୍ତି। ଏହାବ୍ୟତୀତ ସର୍ଭେରେ ଭାଗ ନେଇଥିବା ୫୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ଦେଇଛନ୍ତି। ୫ଟି ୟୁରୋପୀୟ ଦେଶରେ ଚଳିତଥର ଭାରତ ସପକ୍ଷରେ ଅନୁକୂଳ ମତ ପୋଷଣ ୧୦ ପ୍ରତିଶତ ହ୍ରାସ ପାଇଛି। ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସର ପତିଆରା ବିଶ୍ବରେ ପୂର୍ବଭଳି ପ୍ରାୟ ସମାନ ରହିଛି ବୋଲି ସର୍ଭେରେ କୁହାଯାଇଛି। ୨୬୧୧ ଜଣ ଭାରତୀୟଙ୍କୁ ନେଇ ମାର୍ଚ୍ଚ ୨୫ରୁ ମେ ୧୧ ମଧ୍ୟରେ ଉକ୍ତ ସର୍ଭେ ହୋଇଥିବା ପିୟୁ କହିଛି।

Umasankar Adv
Leave A Reply

Your email address will not be published.