ଧୂର୍ତ୍ତ କାକାଙ୍କ କଳା କାରନାମା: ସରକାରୀ ଚାକିରି ଲୋଭ ଦେଖାଇ ଲୁଟ

 ଭୁବନେଶ୍ବର: କାହାକୁ ଏଏସ୍‌ଓ ତ କାହାକୁ ଅଧ୍ୟାପକ, ପୁଣି କାହାକୁ କନଷ୍ଟେବଲ। ଏମିତି ସରକାରୀ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଧୂର୍ତ୍ତକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେ ହେଉଛି କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ତୀର୍ଥ କୁମାର ଜଟି ଓରଫ ସୁଶାନ୍ତ ଓରଫ କାକା (୩୮)। ପୁଲିସ ତା’ଠାରୁ ଅନେକ ଜାଲ୍‌ କାଗଜପତ୍ର ଜବତ କରିଛି। 

gpkandhamal

ସୂଚନା ମୁତାବକ, ଗତ ଜାନୁଆରି ମାସରେ କନଷ୍ଟେବଳ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମହେନ୍ଦ୍ର ସାହୁ ନାମକ ଜଣେ ଆଶାୟୀ କାକାର ସଂପର୍କରେ ଆସିଥିଲେ। କାକା ତାଙ୍କୁ ଚାକିରି କରାଇ ଦେବାର ଲୋଭ ଦେଖାଇ ସେଥିପାଇଁ ୫ଲକ୍ଷ ଟଙ୍କା ଦାବି କରିଥିଲା। ସେହି ଅନୁସାରେ ଗତ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ମହେନ୍ଦ୍ର ବିଭିନ୍ନ କିସ୍ତିରେ ମାମୁଙ୍କ ଫୋନ୍‌-ପେ ଜରିଆରେ ୫ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ପରେ ଯୋଗ୍ୟ ତାଲିକା ପ୍ରକାଶ ପାଇଥିଲା, କିନ୍ତୁ ସେଥିରେ ମହେନ୍ଦ୍ରଙ୍କ ନାଁ ନଥିଲା। ମହେନ୍ଦ୍ର ତୁରନ୍ତ କାକା ସହ ଯୋଗାଯୋଗ କରି ଘଟଣା ବିଷୟରେ ପଚାରିଥିଲେ। ସେ କହିଥିଲା, ଚୂଡ଼ାନ୍ତ ତାଲିକାରେ ନାଁ ସଂଶୋଧନ ପାଇଁ ଆହୁରି ଅଧିକ ଟଙ୍କା ଲାଗିବ। ତେଣୁ ଆଉ ୩ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ବାଧ୍ୟହୋଇ ମହେନ୍ଦ୍ର ପୁଣି ଟଙ୍କା ପଠାଇଥିଲେ। ଏହା ପରେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ଆସିନଥିଲା। ମହେନ୍ଦ୍ର ସେତେ‌ବେଳକୁ ବୁଝିଯାଇଥିଲେ ଯେ ଧୂର୍ତ୍ତ ତାଙ୍କୁ ମିଛ କହି ଟଙ୍କା ଲୁଟି ନେଇଛି।ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତନାଘନା ଜାରି ରଖିଥିଲା। ଆଜି ପୁଲିସ ତା’କୁ ଗିରଫ କରିବା ପରେ ଧୂର୍ତ୍ତ କାକା ସମ୍ପର୍କରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ହା‌ତେଇଥିଲା। ସେ କେବଳ ଚାକିରି ନାଁରେ ଠକେଇ କରୁନଥିଲା, କେନ୍ଦ୍ରାପଡ଼ାରୁ ଆସି ପାତ୍ରପଡ଼ା ଅଞ୍ଚଳରେ ଓୟୋ ହୋଟେଲ୍‌ ଲିଜ୍‌ରେ ନେଉଥିଲା। ଆଉ ପରେ ତାହାକୁ ସବ୍‌ଲିଜ୍‌ରେ ଦେଇ ମଝିରେ ଭଲ ରକମର ଅର୍ଥ ରୋଜଗାର କରୁଥିଲା। ତେବେ ଏହି ସମୟରେ ଯେଉଁମାନେ ତା’ ସମ୍ପର୍କରେ ଆସୁଥିଲେ, ସେମାନଙ୍କୁ ସେ ଇଣ୍ଟେଲିଜେନ୍ସ କର୍ମଚାରୀ ବୋଲି ପରିଚୟ ଦେଉଥିଲା। ତା’ ସହିତ ଯଦି କେହି ସରକାରୀ ଚାକିରି ପାଇଁ ଇଚ୍ଛୁକ, ତେବେ ଯୋଗାଯୋଗ ପାଇଁ ମଧ୍ୟ କହୁଥିଲା। ତା’ର ବଡ଼ ବଡ଼ ଅଫିସରଙ୍କ ସହ ଲିଙ୍କ୍‌ ଥିବା କହୁଥିଲା। ଲୋକଙ୍କ ମନରେ ବିଶ୍ବାସ ଆଣିବା ପାଇଁ ବିଭିନ୍ୟ ଜାଲ୍‌ କାଗଜପତ୍ର ସହ ଫଟୋ ମଧ୍ୟ ଦେଖାଉଥିଲା। ସେ ଆହୁରି ଅଧିକ ଲୋକଙ୍କୁ ଠକି ଥିବାର ପୁଲିସ ସନ୍ଦେହ କରୁଛି। ପଚରାଉଚରା ପରେ ତା’କୁ କୋର୍ଟ ଚାଲାଣ କରାଯାଇଛି। ଦରକାର ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

Umasankar Adv
Leave A Reply

Your email address will not be published.