ଭଙ୍ଗାଦଦରା ଘରେ ପଢ଼ୁଛନ୍ତି ଶିଶୁ

ପୁରୀ: ଅଙ୍ଗନବାଡ଼ିରେ ବହୁ ଶିଶୁଙ୍କ ମୂଳଦୁଆ ପଡ଼ୁଛି। ଶୈଶବରେ ଶିକ୍ଷାର ପ୍ରାରମ୍ଭିକ ପର୍ବ ଏଇଠୁ ଆରମ୍ଭ ହେଉଛି। ମାତ୍ର ପିଲାଙ୍କ ବର୍ଣ୍ଣବୋଧ ଶିକ୍ଷାର ଏହି ଅନ୍ତୁଡ଼ିଶାଳା ଋଗ୍‌ଣ ଓ ବାଟବଣା। କେଉଁ ଅଙ୍ଗନବାଡ଼ିର ଛାତ ଓ କାନ୍ଥ ଫାଟି ଆଁ କରିଛି ତ କେଉଁଠି ମନ୍ଦିର ଅଗଣା, କ୍ଲବ୍‌ ଘର କିମ୍ବା କାହା ପିଣ୍ଡାରେ ଅଙ୍ଗନବାଡ଼ି ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏବେ ବି ବହୁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ପୁରୀ ସହରରେ ୮୦ଟି ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ହେଁ ସେଥିମଧ୍ୟରୁ ୫୦ରୁ ଅଧିକ ଅଙ୍ଗନବାଡ଼ିର ନିଜସ୍ବ ଘର ନାହିଁ। ପୁଣି ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ପାଇଖାନା ଓ ପିଇବା ପାଣିର ବ୍ୟବସ୍ଥା ନାହିଁ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଟଙ୍କା ଆସିଛି। ହେଲେ ସେଥିମଧ୍ୟରୁ ମାତ୍ର ୨୪ଟି ସମ୍ପୂର୍ଣ୍ଣ ହୋଇପାରିଛି। ବିଡ଼ମ୍ବନା ହେଉଛି ୨୦୧୧-୧୨ ମସିହାରୁ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା। ପରେ ସମୟ ଓ ଦରଦାମକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ି ଘର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। କିନ୍ତୁ ୧୦ ବର୍ଷ ବିତିଯାଇଥିଲେ ବି ଅଙ୍ଗନବାଡ଼ି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ବହୁ ପିଲା ‌ଏବେ ବି ଭଙ୍ଗା ଦଦରା ଘରେ ଅସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି।

Leave A Reply

Your email address will not be published.