ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏବେ ବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଏଭଳି ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ମୟୂରଭଞ୍ଜ ମିରର୍’ ପୁଣି ଏକ ଅନାଲୋଚିତ ଜଳପ୍ରପାତ ଠାବ କରିଛି। ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି ‘ସୁବର୍ଣ୍ଣଝରଣ’ ନାମକ ଏକ ଆକର୍ଷଣୀୟ ଓ ୧୧୧୫ ଫୁଟ୍ ଉଚ୍ଚର ଜଳପ୍ରପାତ।
୬ସ୍ତର ବିଶିଷ୍ଟ ‘ସୁବର୍ଣ୍ଣଝରଣ’ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି। ବନ୍ୟଜନ୍ତୁଙ୍କ ଭୟ ସତ୍ତ୍ବେ ୧୮କି.ମି ଦୁର୍ଗମ ଅଙ୍କାବଙ୍କା ରାସ୍ତା ଓ ୮.୫ କି.ମି ପାହାଡ଼ ଚଢ଼ି ଜଳପ୍ରପାତ ନିକଟରେ ପହଞ୍ଚିଥିଲେ ସଂଗଠନର ସଦସ୍ୟ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ବର ଭଞ୍ଜ, ବିଶ୍ବଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ।