ପାଟଣା ଡାକ୍ତରଖାନାରେ ଘଣ୍ଟାଘଣ୍ଟା ଠିଆହେଉଛନ୍ତି ରୋଗୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପାଟଣା ସମେତ ସାହାରପଡ଼, ଘଟଗାଁ ଓ କେନ୍ଦୁଝର ସଦର ବ୍ଲକ୍‌ର ଦୁଇଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରୁଛନ୍ତି। ତେବେ ଏଠାରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବହିର୍ବିଭାଗରେ ମାତ୍ର ଜଣେ ଡାକ୍ତର ଥିବାରୁ ରୋଗୀମାନେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେଉଥିବା ‌ଦେଖିବାକୁ ମିଳୁଛି। ଏହି ଡାକ୍ତରଖାନାରେ ଭେଷଜ, ଶଲ୍ୟ, ସ୍ତ୍ରୀରୋଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ବିଶେଷଜ୍ଞ ପଦବି ଖାଲି ପଡ଼ିଛି। କୌଣସି ଗୋଟିଏ ବି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି।

gpkandhamal

ଫଳରେ ଜରୁରୀ ପରିସ୍ଥିତିରେ ରୋଗୀମାନେ ସ୍ବାସ୍ଥ୍ୟସେବା ନପାଇ କେନ୍ଦୁଝର ନଚେତ କଟକ ବଡ଼ଡାକ୍ତରଖାନା ଯାଉଛନ୍ତି। ଅନେକ ସମୟରେ ବାଟରେ ଲୋକଙ୍କ ମୃତ୍ୟୁ ଘଟୁଛି। ୧୯୩୭ ମସିହାରେ ସ୍ଥାପିତ ଏହି ୧୬ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଜଣ ବିଶେଷଜ୍ଞ  ଡାକ୍ତର, ୨ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସମେତ ଜଣେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମିଶାଇ ୭ଜଣ ରହିବା କଥା। ହେଲେ ଏଠାରେ କେବଳ ଅଛନ୍ତି ୪ଜଣ ଏମବିବିଏସ୍‌ ଡାକ୍ତର। ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ଗର୍ଭବତୀମାନେ କେନ୍ଦୁଝର ଯାଉଛନ୍ତି। ସେହିପରି ଆବଶ୍ୟକ ଡାକ୍ତର ନ ଥିବା ବେଳେ ଏହି ଡାକ୍ତରଖାନାକୁ ଘଟଗାଁ, ପାଟଣା, ତୁରୁମୁଙ୍ଗା ଥାନା ଅଞ୍ଚଳର ଶବ ବ୍ୟବଚ୍ଛେଦ ପାଇଁ  ଅଣାଯାଉଛି। ସେହିପରି ଜିଲ୍ଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦/୧୨ଜଣ ଲେଖାଏଁ ଷ୍ଟାଫ୍‌ନର୍ସ ଥିବାବେଳେ ଏଠାରେ ଅଛନ୍ତି ମାତ୍ର ୬ଜଣ। ଏହାଛଡ଼ା ଏଠାରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଲୋକେ ହଇରାଣ ହେଉଛନ୍ତି। ଡାକ୍ତରଖାନାର ଏସବୁ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ଏହି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦାବି ହେଉଛି।

Umasankar Adv
Leave A Reply

Your email address will not be published.