ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଟପିଲା

ଭୁବନେଶ୍ବର: ଗତବର୍ଷ ସେପ୍ଟେମ୍ବର ବେଳକୁ ଯେଉଁ ଜିଲ୍ଲାରେ ହାତଗଣତି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ, ଏବର୍ଷ ସେସବୁ ଜିଲ୍ଲା ଡେଙ୍ଗୁରେ ଥରୁଛନ୍ତି। ରୋଗୀଙ୍କ ସଂଖ୍ୟା ୪ଶହ ଟପିଲାଣି। ଏବେ ପ୍ରତ୍ୟେକ ଦିନ ଯେଉଁଭଳି ଭାବେ ରୋଗୀଙ୍କ ସଂଖ୍ୟା ବଢ଼ୁଛି, ଖୁବ୍‌ଶୀଘ୍ର ଏସବୁ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ହଜାର ଛୁଇଁବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ଖୋର୍ଧା ଜିଲ୍ଲାରେ ଡେଙ୍ଗୁ ନିୟନ୍ତ୍ରଣରେ ନାହିଁ। ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଛି। ଅନେକ ଅଞ୍ଚଳ ଡେଙ୍ଗୁର ନିୟନ୍ତ୍ରଣରେ ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ମାସ ଶେଷ ସୁଦ୍ଧା ଡେଙ୍ଗୁ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି। ହେଲେ ଏବେ ଯେଉଁଭଳି ଭାବେ ବର୍ଷା ଲାଗି ରହିଛି, ତାହା ସମ୍ଭବ ହୋଇନପାରେ। ଡେଙ୍ଗୁ ମୁଖ୍ୟତଃ ସହରାଞ୍ଚଳରେ ଦେଖିବାକୁ ମିଳିଥାଏ। ହେଲେ ଏବେ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପିଗଲାଣି। ଯଦିଓ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି, ଅନ୍ୟ ଜିଲ୍ଲାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି। ଗତବର୍ଷ କଟକ, ବାଲେଶ୍ବର, ଜଗତସିଂହପୁର, ପୁରୀ, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ସେପ୍ଟେମର ୩ ତାରିଖ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ଟପି ନ ଥିଲା। ହେଲେ ଚଳିତ ବର୍ଷ ଏସବୁ ଜିଲ୍ଲାରେ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହେଲେଣି।
ବାଲେଶ୍ବରରେ ୪୧୩, କଟକ ୪୦୭, ପୁରୀ ୪୪୪, ଜଗତସିଂହପୁର ୨୧୬, ନୟାଗଡ଼ ୧୬୩ ଓ ସୁନ୍ଦରଗଡ଼ରେ ୯୩ ରୋଗୀ ବାହାରିଛନ୍ତି। ଖୋର୍ଧା ଜିଲ୍ଲା ଡେଙ୍ଗୁ ସଂକ୍ରମଣରେ ଆଗରେ ଥିବା ବେଳେ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧୫୦୩ ଆକ୍ରାନ୍ତ ଚିହ୍ନଟ ହେଲେଣି। ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୨୩୬୭ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ୬୧% ବୃଦ୍ଧି ହୋଇଛି।

Leave A Reply

Your email address will not be published.