ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ; ୩ କିମି କାନ୍ଧରେ ବୁହାହେଲେ ରୋଗୀ

 ଲାଞ୍ଜିଗଡ଼: ଦେଶ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଆଜି ଯାଏଁ ଭଲ ରାସ୍ତା ଖଣ୍ଡେ ବି ହୋଇପାରିନାହିଁ, ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରି ବିକାଶର ଡିଣ୍ଡିମ ପିଟୁଛନ୍ତି। ଏବେ ବି ଅନେକ ଗାଁ ଅଛି ପକ୍କା ରାସ୍ତା ତ ଦୂରର କଥା କଚା ରାସ୍ତାଟିଏ ମଧ୍ୟ ହୋଇ ପାରିନି। ଯାହାଫଳରେ ଲୋକେ ଅନେକ ସମସ୍ୟା ଦେଇ ଗତି କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ଗାଁକୁ ଏବେ ଯାଏଁ ମାଟି ରାସ୍ତା ଖଣ୍ଡିଏ ନ ଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ମଧ୍ୟ ବଞ୍ଚିତ ରହୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡସେମେଲପଦର ଗାଁରେ। ଏହି ଗାଁ ରେ ମହେନ୍ଦ୍ର ମାଝୀ (୨୨)ଙ୍କୁ କିଛି ଦିନ ହେବ ଜ୍ୱର ହୋଇଥିଲା। ହେଲେ ଅର୍ଥ ଅଭାବରୁ ଚିକିତ୍ସା ନ ହୋଇ ଘରେ ପଡିରହିଥିଲେ। ପରେ ୧୦୮ ଆମ୍ବୁଲାନ୍ସକୁ ୨ ଦିନ ଯୋଗାଯୋଗ କଲାପରେ ମଧ୍ୟ ଗାଁକୁ ଆମ୍ବୁଲାନ୍ସ ଆସିନଥିଲା। ପୁଣି ଥରେ ପରିବାର ଲୋକେ ନେହୁରା ହୋଇ ଆମ୍ବୁଲାନ୍ସକୁ ଯୋଗାଯୋଗ କଲା ପରେ ଯୋଗାଯୋଗ ପରେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚିଥିଲା, ହେଲେ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତାର ସୁବିଧା ନ ଥିବାରୁ ଗାଁକୁ ପହଞ୍ଚି ନ ପାରି ଗାଁଠାରୁ ହାରାହାରି ୩ କିଲୋମିଟର ଦୂରରେ ଅଟକି ରହିଥିଲା। ଯାହାଫଳରେ ୩ କିଲୋମିଟର ରୋଗୀଙ୍କୁ ପରିବାର ଲୋକେ କାନ୍ଦରେ ବୋହି ଆମ୍ବୁଲାନ୍ସ ପାଖକୁ ନେଉଥିବା ଚିତ୍ର ଦେଖିବାକୁ ମିଳିଛି। ଅନେକ ଗରିବ ଶ୍ରେଣୀ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ବରଦାନ ସ୍ୱରୂପ ପାଲଟିଥିବା ବେଳେ ରାସ୍ତା ଘାଟ ପାଇଁ ଅନେକ ନିରୀହ ଲୋକ ଏହି ସେବାରୁ ବଞ୍ଚିତ ରହୁଛନ୍ତି। ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି। ଏହି ରାସ୍ତାକୁ ନେଇ ବଡସେମେଲପଦର ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଗୁହାରି କଲା ପରେ ମଧ୍ୟ ଏବେ ଯାଏଁ କୌଣସି ପ୍ରକାର ଗୁହାରି ଶୁଣୁନାହାନ୍ତି ଜିଲ୍ଲା ବା ବ୍ଲକ ପ୍ରଶାସନ ବୋଲି ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି ଗ୍ରାମବାସୀ। ରାସ୍ତା ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ କରି ଆସୁଛନ୍ତି ଗ୍ରାମବାସୀ। ଖଣ୍ଡିଏ ରାସ୍ତା ଯୋଗାଇ ଦେବାକୁ ବ୍ଲକ ତଥା ଜିଲ୍ଲା ପ୍ରଶାସନକୁ ଗୁହାରି କରୁଛନ୍ତି ଶିବ ମାଝୀ, ବୁଡୁ ମାଝୀ, ରାଜୁ ମାଝୀ, ବାଛୁ ମାଝୀ, ତେଲି ମାଝୀ, ସୁନ୍ଧାରୀ ମାଝୀ, ଶ୍ରାବଣୀ ମାଝୀ, ୱାର୍ଡ ମେମ୍ବର ଘାସିରାମଙ୍କ ସମେତ ଗ୍ରାମବାସୀ। ଏହି ସମସ୍ୟା ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.