ନିର୍ମାଣର ୩ ମାସ ନ ପୁରୁଣୁ ଭୁଷୁଡ଼ି ଗଲାଣି ପୋଲର ପଥର ପ୍ୟାକିଂ

ଦେବଗଡ଼: ନିର୍ମାଣ କାର୍ଯ୍ୟ ଶେଷ ହେବାର ୩ ମାସ ପୁରିନି। ହେଲେ ହାଇଲେଭେଲ ବ୍ରିଜ୍‌‌ ତଳୁ ଭୁଷୁଡ଼ି ପଡ଼ିଲାଣି ପଥର ପ୍ୟାକିଂ(କୋନିକାଲ ବୋଲ୍‌‌ଡର ପ୍ୟାକିଂ) ଓ ଆପ୍ରୋଚ ରାସ୍ତା। ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଓ ପୋଲର ସ୍ଥାୟୀତ୍ୱ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। 

gpkandhamal

ମିଳିଥିବା ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକର ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଡିମିରିକୁଦା ଗ୍ରାମପଞ୍ଚାୟତର ଝରାସାହିରୁ ଝରାଗୋଗୁଆ ଗ୍ରାମପଂଚାୟତର ନିକ୍ତିମାଳ ପର୍ଯ୍ୟନ୍ତ ୬ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ(ଲେଭେଲ ପୋଲ) ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଥିଲା। ସେହିପରି ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହେବାସହ ବରଗଡ଼ ଜିଲା ପଦ୍ମପୁରର ନିର୍ମାଣକାରୀ ସଂସ୍ଥା ମେସର୍ସ ୟୁନିସନ ଇନଫ୍ରାକନ୍‌‌କୁ ଏହାର ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୫ କୋଟି ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ସମ୍ପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମେଟାଲିଂ କାର୍ଯ୍ୟଠାରୁ ଆରମ୍ଭ କରି ପିଚୁ ରାସ୍ତା ଓ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଥିଲା। ଏପରିକି ସମ୍ପୃକ୍ତ ହାଇ ଲେଭେଲ ପୋଲ, ଏହାର ଆପ୍ରୋଚ ଓ କୋନିକାଲ ବୋଲ୍ଡର ପ୍ୟାକିଂ କାର୍ଯ୍ୟ ମଧ୍ୟ ନିମ୍ନ ମାନର ହୋଇଥିଲା। ଫଳରେ ଉକ୍ତ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବାସହ ସରକାରୀ ଅର୍ଥ ପାଣିରେ ପଡ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଅଂଚଳବାସୀ ନିର୍ମାଣକାରୀ ସଂସ୍ଥାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଏପରିକି ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଏକାଧିକ ବାର ଅଭିଯୋଗ କରିବାସହ ବ୍ୟୟ ଅଟକଳ ଅନୁଯାୟୀ ସଠିକ ମାନର କାର୍ଯ୍ୟ କରିବାକୁ ଦାବୀ କରିଥିଲେ। ଏହା ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବପରି ନିମ୍ନ ମାନର କାର୍ଯ୍ୟ ଜାରି ରହିଥିଲା। ଫଳ ସ୍ୱରୂପ ନିର୍ମାଣର ୩ ସପ୍ତାହ ନପୁରୁଣୁ ଉକ୍ତ ସଦ୍ୟ ନିର୍ମିତ କଂକ୍ରିଟ ରାସ୍ତାର ଭିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଭଲଭାବେ କ୍ୟୁରିଂ(ଜଳ ସିଂଚନ) କରାଯାଇନଥିବାରୁ କଂକ୍ରିଟ ରାସ୍ତାରୁ ସିମେଣ୍ଟ ଗୁଣ୍ଡ ବାହାରି ପବନରେ ଉଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷରେ ଭଲ ଭାବେ ରୋଲିଂ କରାଯାଇନଥିବାରୁ ପିଚୁବୋଳା ଚିପ୍ସ ଓ ବଜୁରୀ ଆଦି ବିଛାଯିବା ପୂର୍ବରୁ ଅନେକ ସ୍ଥାନରେ ମେଟାଲଗୁଡିକ ଉପରକୁ ଉଠିଯାଇ ଠାଏଁ ଠାଏଁ ଜମା ହେବାସହ ସମଗ୍ର ରାସ୍ତାଟି ଆବୁଡା ଖାବୁଡା ହୋଇଯାଉଥିଲା। ଏନେଇ ଅଭିଯୋଗ ସତ୍ୱେ ନିର୍ମାଣ କାର୍ଯ୍ୟରେ ସୁଧାର ନଆସିବାରୁ ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଂଚଳବାସୀ ଅଭିଯୋଗ କରିଥିଲେ। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ପୁର୍ବବତ ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିଲା। 

Umasankar Adv
Leave A Reply

Your email address will not be published.