ଶ୍ରୀମନ୍ଦିର ଭିତରେ ଆଜି ଅସମ୍ଭାଳ ଭିଡ଼

ପୁରୀ: ଶ୍ରୀମନ୍ଦିର ଭିତରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦର୍ଶନ ବେଳେ ଭକ୍ତଙ୍କ ଭିତରେ ଠେଲାପେଲା ସ୍ଥିତି ଉପୁଜିଛି। ଏହି ଠେଲାପେଲାରେ ତଳେ ପଡ଼ିଯିବାରୁ ଭଦ୍ରକ ଅଞ୍ଚଳରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଗୁରୁତର ହୋଇଛନ୍ତି। ତଳେ ମୁହଁ ମାଡ଼ି ପଡ଼ିଯିବାରୁ ତାଙ୍କ ନାକ ଫାଟି ରକ୍ତସ୍ରାବ ହୋଇଛି। ଆହତ ଭକ୍ତ ଭଦ୍ରକ ଜିଲ୍ଲା ଗେଲତୁଆ ଅଞ୍ଚଳର ମନୋଜ ରାଉତ(୩୧)। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିଲା। ସେପଟେ ଏକାଦଶୀ ଥିବାରୁ ଭକ୍ତମାନେ ମହାପ୍ରସାଦ ନେବାକୁ ଭିଡ଼ ଲଗାଇଥିଲେ। ଗୋଟିଏ ଦ୍ବାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଥିବାରୁ ସିଂହଦ୍ବାରରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିଲା। ସିଂହଦ୍ବାରରେ ସିନା ଭକ୍ତମାନେ ଧାଡ଼ିରେ ଗଲେ, କିନ୍ତୁ ଶ୍ରୀମନ୍ଦିର ଭିତରେ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। ନାଟମଣ୍ଡପ ଭିତରେ ଭକ୍ତଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଭକ୍ତମାନେ ଦର୍ଶନ ପାଇଁ ଠେଲାପେଲା ସ୍ଥିତି ଉପୁଜିଥିଲା। ନା କୌଣସି ପୁଲିସ ଏଥିପ୍ରତି ଦୃଷ୍ଟି ଦେଉଥିଲେ ନା କୌଣସି ଜେଟିପି ଅବା ପ୍ରତିହାରୀ ସେବକ। ଭକ୍ତମାନେ ଦର୍ଶନ ପାଇବାକୁ ନିଜ ନିଜ ଭିତରେ ସଂଘର୍ଷ କରୁଥିଲେ। ଭିତର କାଠ ହେଉ କି ବାହାର କାଠ, ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଯାଉଥିଲେ, ସେମାନେ ଠାକୁରଙ୍କ ଆଗରେ ଛିଡ଼ା ହୋଇ ରହିଯାଉଥିଲେ। ଏଣୁ ପଛରୁ ଆସୁଥିବା ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଥିଲେ। ନାଟମଣ୍ଡପକୁ ପଶିବା ଅସମ୍ଭବ ହୋଇ ପଡ଼ିଥିଲା। ଏହାରି ଭିତରେ ଠେଲାପେଲା ହେବାରୁ ଶ୍ରୀମନ୍ଦିର ଭିତର ବେଢ଼ାରୁ ନାଟମଣ୍ଡପକୁ ଯାଉଥିବା ଭଦ୍ରକ ଜିଲ୍ଲା ଗେଲତୁଆର ମନୋଜ ରାଉଳ ତଳେ ପଡ଼ିଯାଇଥିଲେ। ଭିତର ବେଢ଼ାରେ ପଡ଼ି ନାକ ଫାଟି ରକ୍ତ ବାହାରିବାରୁ ତାଙ୍କୁ ବାହାରକୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Umasankar Adv
Leave A Reply

Your email address will not be published.