ବାମରାରେ ରହିବ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ରେଢ଼ା​ଖୋଲରେ ରହିବ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌

ବାମରା: ଏଣିକି ବାମରା ଷ୍ଟେସନ୍‌ରେ ରହିବ ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ ନଂ୧୮୧୦୭/୧୮୧୦୮)। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ରେଲୱେ ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ (କୋଚିଙ୍ଗ) ବିବେକ ସିହ୍ନା ଏନେଇ ମଙ୍ଗଳବାର ଏକ ଆଦେଶ ଜାରି କରିଛନ୍ତି। ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଟ୍ରେନ୍‌ ସହ ହାୱଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ, ହାୱଡା-କୁର୍ଲା ଏକ୍ସପ୍ରେସ, ଧାନବାଦ ଏଲ୍ଲେପି ମାଡ୍ରାସ ଏକ୍ସପ୍ରେସ, ଜମ୍ମୁ ତାୱି ଏକ୍ସପ୍ରେସ ଏବଂ ଟାଟା-ବିଲାସପୁର ଏକ୍ସପ୍ରେସ ରହଣି ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ତେବେ ରାଉରକେଲା-ଜଗଦଲପୁର ଟ୍ରେନ୍‌ ରହଣି ନେଇ ଅନୁମତି ମିଳିବା ପରେ ଅନ୍ୟ ଟ୍ରେନ୍‌ ଗୁଡ଼ିକ କିଭଳି ଅଟକିବ ସେନେଇ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ରେଢ଼ାଖୋଲ: ବାରମ୍ବାର ଦାବି ପରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନରେ ପୁରୀ- ଦୁର୍ଗ ଏକ୍ସପ୍ରେସ ରହଣି ପାଇଁ ବୁଧବାର ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରକାଶ ଥାଉକି କରୋନା ମହାମାରୀ ଯୋଗୁଁ ଏହି ରେଳ ଷ୍ଟେସନରେ ରହଣୀ ଥିବା ପୁରୀ- ଦୁର୍ଗ, ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଦିଆ ଯାଇଥିଲା। ହେଲେ କରୋନା କଟକଣା ଉଠିବା ପରେ ମଧ୍ୟ ଏହି ଦୁଇ ଟ୍ରେନର ରହଣି ହେଉନଥିଲା। ଆଜି ପୁରୀ ଦୁର୍ଗ ଟ୍ରେନ ଚଳାଚଳ ରେଳ ମନ୍ତ୍ରାଳୟ ଘୋଷଣା କରିଛନ୍ତି। ତେବେ ରାଜ୍ୟରାଣୀ ଏକ୍ସପ୍ରେସ, ପୁରୀ ସାଇନଗର, ଲୋକମାନ୍ୟ ତିଳକ ଏକ୍ସପ୍ରେସ ରହଣି ପାଇଁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଥାଉ କି କିଛିଦିନ ତଳେ ଏନ୍‌ଏସି ଅଧ୍ୟକ୍ଷ ଶିବରାମ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ଓ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଉଭୟ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ପ୍ରଧାନ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୃଥକ ଭାବରେ ସାକ୍ଷାତ୍‌ କରି ଟ୍ରେନ ରହଣି ପାଇଁ ଦାବି କରିଥିଲେ।

Leave A Reply

Your email address will not be published.