ଚିନ୍ତା ବଢ଼଼ାଇଲା ସ୍କ୍ରବ ଟାଇଫସ ରୋଗ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାରେ ଭୟଙ୍କର ସ୍କ୍ରବ ଟାଇଫସ (ଟିଙ୍କ ଜ୍ୱର) ରୋଗ ବ୍ୟାପିବା ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌‌ବେଗ ପ୍ରକାଶ ପାଇଛି। ଜୁନ ମାସରୁ ଚଳିତମାସ ୧୩ ତାରିଖ ସୁଦ୍ଧା ଜିଲାରେ ୧୭୩୧ଜଣଙ୍କ ରକ୍ତନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୬୨୭ଜଣ ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ଥିବା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି କହିଛନ୍ତି। ସେଥିମଧ୍ୟରୁ ଅଗଷ୍ଟ ମାସରେ ୮୭୨ଜଣଙ୍କ ମଧ୍ୟରୁ ୩୨୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଜିଲାରେ ୪୩୭ଜଣଙ୍କ ମଧ୍ୟରୁ ୧୩୯ଜଣ ପଜିଟିଭ ଚିହ୍ନଟ ହୋଇଥିବା ଡାକ୍ତର ଶ୍ରୀ ପୃଷ୍ଟି କହିଛନ୍ତି।

ଏହି ରୋଗ ସାଧାରଣତଃ ଟିଙ୍କ କାମୁଡିବା ଦ୍ୱାରା ହେଉଥିବାରୁ ବିଶେଷକରି ଚାଷଜମିକୁ ଯାଉଥିବା ଏବଂ ଜଙ୍ଗଲକୁ ଯାଉଥିବା ଲୋକେ ଘରେ ପହଞ୍ଚିବା ପରେ ଭଲ ଭାବେ ବିଶୋଧନ ହେବା ନିହାତି ଆବଶ୍ୟକ ବୋଲି ଡାକ୍ତର ଶ୍ରୀ ପୃଷ୍ଟି କହିଛନ୍ତି। ଏହି ରୋଗରୁ ମୁକ୍ତି ପାଇଁ ସଚେତନତା ନିହାତି ଜରୁରୀ କହିବା ସହ ଏହି ଜ୍ୱରରେ ଆକ୍ରାନ୍ତ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏଲିସା କିମ୍ବା କିଟ୍‌‌ ପରୀକ୍ଷା ମାଧ୍ୟମରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଦିଆଯାଉଥିବା ଔଷଧ ନିୟମିତ ସେବନ କରିବାକୁ ଡାକ୍ତର ଶ୍ରୀ ପୃଷ୍ଟି ପରାମର୍ଶ ଦେଇଛନ୍ତି। ଏହି ରୋଗ ପରୀକ୍ଷା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା ପରାମର୍ଶ ସାଙ୍ଗକୁ ଔଷଧ ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ଶ୍ରୀ ପୃଷ୍ଟି କହିଛନ୍ତି। ଜିଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ଏଥିପ୍ରତି ଭୟଭୀତ ନହୋଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଡାକ୍ତର ଶ୍ରୀ ପୃଷ୍ଟି ପରାମର୍ଶ ଦେଇଛନ୍ତି।

Umasankar Adv
Leave A Reply

Your email address will not be published.