ଚିତ୍ତୋରରୁ ଫେରିଲା ୪ ମୃତଦେହ

ଗୋଟିଏ ଗାଁରେ ଜଳୁଛି ସ୍ୱାମୀ ,ସ୍ତ୍ରୀଙ୍କ ଜୁଇ । ଅନ୍ୟ ଏକ ଗାଁରେ ଦୁଇ ସମ୍ପର୍କୀୟ ଦାଦାଙ୍କ ଜୁଇରେ ଲାଗିଲା ନିଆଁ। ଏପରି ସ୍ଥିତିରେ କାନ୍ଦବୋବାଳିରେ ଫାଟିଫଡୁଥିଲା ଦୁଇ ଗାଁ ଦାଣ୍ଡ। ବାପାମା’ଙ୍କୁ ହରାଇ ଦୁଇ ଛୁଆ ବୁକୁଫଟା କ୍ରନ୍ଦନ କରୁଥିବା ବେଳେ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇ ପରିବାର ଲୋକେ ଅଚେତ ହୋଇପଡୁଥିଲେ। ଏପରି ଛାତିଥର ଦୃଶ୍ୟ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଆଳି ଅଙ୍ଗାରଖ ଗାଁ ଓ ଗୋବିନ୍ଦପୁର ଗାଁରେ ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ଚିତ୍ତୋର ରାଜପଥରେ ଗତ ଶୁକ୍ରବାର ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଆଳି ଅଙ୍ଗାରଖ ଗାଁର ଉମେଶ ସାହୁ(୪୫) ତଙ୍କ ପତ୍ନୀ ସସ୍ମିତା(୩୭)ଙ୍କ ସମେତ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଗ୍ରାମର ସସ୍ମିତାଙ୍କ ଦୁଇ ଦାଦା ତ୍ରିଲୋଚନ ନାୟକ(୫୫)ବିଜୟ ନାୟକ(୫୪) ଥିବା ଜଣାଯାଇଛି।ଅଙ୍ଗାରଖ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କର କିଛିଦିନ ହେବ ଦେହ ଭଲ ରହୁ ନ ଥିଲା। ଚିକିତ୍ସା ପାଇଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ୧୫ ଦିନର ଚିକିତ୍ସା ପରେ ମଧ୍ୟ ସୁସ୍ଥ ନ ହେବାରୁ ଉମେଶ ସଂପୃକ୍ତ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସ ଯୋଗେ ବାଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ ଯାଇଥିଲେ।

Leave A Reply

Your email address will not be published.