ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

 ଭୁବନେଶ୍ବର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଝଡ଼ି ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୭ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨% ଅଧିକ। ସର୍ବାଧିକ ହାରାହାରି ବର୍ଷା କୋରାପୁଟ ଜିଲ୍ଲାରେ ୭୩.୮ ମିମି ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୯.୭ ମିମି ତୁଳନାରେ ୬୬୧% ଅଧିକ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୫ଟା ମଧ୍ୟରେ ରାଜ୍ୟର ସର୍ବାଧିକ ବର୍ଷା ଗୋପାଳପୁରଠାରେ ୮୮.୮ ମିମି ରେକର୍ଡ ହୋଇଛି। ସେହିଭଳି ରାଉରକେଲାରେ ୫୩.୦ ମିମି, ଚାନ୍ଦବାଲିରେ ୫୧.୯ ମିମି ଓ ଛତ୍ରପୁରରେ ୪୪.୬ ମିମି ଲେଖାଏ ବର୍ଷା ରେକର୍ଡ ହୋଇଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

gpkandhamal

ଏଣୁ ଏହି ୭ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ‌ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାର କେତେକାଂଶରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହୁଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ୧ ଜୁନ୍‌ରୁ ୨୦ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୧୦୪୧.୩ ମିମି ବର୍ଷା ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ ୫% କମ୍‌। ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୨ ଜିଲ୍ଲା ଯଥା ଝାରସୁଗୁଡ଼ା ଓ ବୌଦ୍ଧ‌ରେ ସର୍ବାଧିକ ଓ ୩ ଜିଲ୍ଲା ଯଥା ନବରଙ୍ଗପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ା‌ରେ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଅବଶିଷ୍ଟ ଓଡ଼ିଶାରେ ଭଲ ବର୍ଷା ହୋଇଛି।

Umasankar Adv
Leave A Reply

Your email address will not be published.