ଆଜିଠୁ ମୌସୁମୀ ପ୍ରତ୍ୟାବର୍ତ୍ତନ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ସ୍ବାଭାବିକ ଭାବେ ଅକ୍ଟୋବର ୧୫ ତାରିଖ ପାଖାପାଖି ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏ ବର୍ଷ ମଧ୍ୟ ଏହି ସମୟରେ ମଧ୍ୟରେ ଓଡ଼ିଶାରୁ ମୌସୁମୀ ଫେରିଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପଟେ ରାଜ୍ୟରେ ଏବେ ଅଳ୍ପବହୁତ ବର୍ଷା ଜାରି ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିଭଳି ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି।

gpkandhamal

ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା‌ ରହୁଛି। ତେବେ ଏହା କେତେ ଘନୀଭୂତ ହେବ ଓ ବାତ୍ୟା ରୂପରେ ଓଡ଼ିଶା ମୁହାଁ ହେବ କି ନାହିଁ, ସେ ନେଇ ଲଘୁଚାପ ସୃଷ୍ଟି ପରେ ହିଁ କହିହେବ। ଆସନ୍ତାକାଲି ରାଜଧ‌ାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିପାରେ। ମଝିରେ ମଝିରେ ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

Umasankar Adv
Leave A Reply

Your email address will not be published.