ନିଜ ଆଡ଼ୁ ଗୃହରେ ସ୍ପଷ୍ଟ କଲେ ନବୀନ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଥିଲା ଜନଶୁଣାଣି

ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣାଣିକୁ ସରକାର ସବୁବେଳେ ପ୍ରାଥମିକତା ଦେଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ଗସ୍ତ କରିବାକୁ ମୁଁ ନିର୍ଦ୍ଦେଶ ଦେଇଥିଲି। ଲୋକଙ୍କ ଅଭିଯୋଗ ଶୁଣାଣି ଓ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଗଣମାଧ୍ୟମ ରିପୋର୍ଟ ଓ ଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ ବୟାନବାଜି ତୃଣମୂଳସ୍ତର ପର୍ଯ୍ୟନ୍ତ ଆଲୋଚନାର ପ୍ରସଙ୍ଗ ହେବା ପରେ ଆଜି ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ନିଜ ଆଡ଼ୁ ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ଅଭିଯୋଗ ଗ୍ରହଣ ପ୍ରକ୍ରିୟାରେ ହେଲିକପ୍ଟର ବ୍ୟବହାର, ସେ ସଂକ୍ରାନ୍ତ ଖର୍ଚ୍ଚ ଠାରୁ ଆରମ୍ଭ କରି ସଂଗ୍ରହ କରାଯାଇଥିବା ଅଭିଯୋଗ ଏବଂ ସମାଧାନ ପର୍ଯ୍ୟନ୍ତ ତଥ୍ୟ ରଖିବାକୁ ଚେଷ୍ଟା କରିଛନ୍ତି। କୌଣସି ଅଫିସରଙ୍କ ନାଁ ନେଇନାହାନ୍ତି, ବରଂ ସମୁଦାୟ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଇଥିବା ଜଣାଇଛନ୍ତି।

gpkandhamal

ଏକଥା ବି କହିଛନ୍ତି ଯେ ଅଭିଯୋଗ ସଂକ୍ରାନ୍ତ ଲୋକଙ୍କ ଖର୍ଚ୍ଚ ଓ ସମୟ ଅପଚୟ ରୋକିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାଖାପାଖି ଚାରି ପୃଷ୍ଠାର ମୁଖ୍ୟମନ୍ତ୍ରୀଙ୍କର ଏହି ଉତ୍ତର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ। କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା। ଏହାପରେ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ। ୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣି ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣି ହେଲା। ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭,୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ସୁଦ୍ଧା ୪୩,୫୩୬ ଦରଖାସ୍ତର ଫଇସଲା କରାଯାଇଛି। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଉତ୍ତରାଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ। ମୁଁ ଦୃଢ଼ତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା।

Umasankar Adv
Leave A Reply

Your email address will not be published.