ନୂଆ ମୋଡ଼ ନେଲା ମାହାଙ୍ଗା ଡବଲ ମର୍ଡର ମାମଲା: ବଢ଼ିଲା ପ୍ରତାପଙ୍କ ଅଡ଼ୁଆ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ପାଇଁ ଅଡ଼ୁଆ ବଢିଛି। ବିଧାୟକ, ସାଂସଦଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ଶୁଣାଣି ପାଇଁ ପ୍ରତିଷ୍ଠା କରାଯାଇଥିବା ଭୁବନେଶ୍ବରସ୍ଥିତ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ଚାଲିବ। ଏନେଇ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ (୩୦୨)ହତ୍ୟା, (୧୨୦-ବି)ଆପରାଧିକ ଷଡ଼୍‌ଯନ୍ତ୍ର, ୫୦୬( ହତ୍ୟା ଧମକ) ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି ଅଦାଲତ କହିଛନ୍ତି। ଶ୍ରୀ ଜେନା ମାହାଙ୍ଗା ବିଧାୟକ ହୋଇଥିବାରୁ ମାମଲାର ରେକର୍ଡ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମ୍‌ଏଫ୍‌ସି ନିର୍ଦ୍ଦେଶ ଦେଇଛନ୍ତି। ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ରଣଜିତ କୁମାର ବରାଳଙ୍କ ପକ୍ଷରୁ ଦାୟର କଂପ୍ଲେନ୍ କେସ୍‌ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ଅନୁମତି ଦିଆଯାଉ ବୋଲି ଦର୍ଶାଇ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହିତ ଏଥିପାଇଁ ଅନୁମତି ଦେଇଥିଲେ। ଏହାପରେ ରଣଜିତ ପ୍ରୋଟେଷ୍ଟ ପିଟିସନ କଂପ୍ଲେନ କେସ୍ ମାଧ୍ୟମରେ ଦାଖଲ କରିଥିଲେ। ମାମଲାରେ ରଣଜିତଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଥିଲା। ଏଥି ସହିତ ଆଉ କେତେକ ସାକ୍ଷୀଙ୍କ ବୟାନ ମଧ୍ୟ ଅଦାଲତରେ ରେକର୍ଡ କରାଯାଇଥିଲା। ଅଭିଯୋଗକାରୀ ତଥା ସାକ୍ଷୀଙ୍କ ବୟାନ, ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ସିଡିଆର୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଜେଏମଏଫସି ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

gpkandhamal

୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ଚାର୍ଜସିଟରୁ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ୍‌ ଘଟଣାକୁ ନେଇ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସିଡିଆର ମଗାଇବା ପାଇଁ ପୁଲିସକୁ କୁହାଯାଇଥିଲା। ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସ୍‌ପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସ୍‌ପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଫାଇନାଲ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଏହି ଚୂଡ଼ାନ୍ତ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ୍ ଜାରି କରିଥିଲେ। ରମାକାନ୍ତ ବରାଳ ନୋଟିସ୍ ପାଇଥ‌ିଲେ। କିନ୍ତୁ ଏ ନେଇ ପ୍ରୋଟେଷ୍ଟ ପିଟିସନ ମାଧ୍ୟମରେ ଅବଗତ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ରଣଜିତ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ। ଶ୍ରୀ ବରାଳଙ୍କ ତରଫରୁ ଆଇନଜୀବୀ ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।

Umasankar Adv
Leave A Reply

Your email address will not be published.