କେନ୍ଦୁଝରଗଡ଼: ସାଇବର ଠକେଇର ଶିକାରକୁ ରୋକିବା ଲକ୍ଷ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ମାଧ୍ୟମରେ ଜିଲାରେ ଆରମ୍ଭ ହୋଇଛି ସଚେତନତା ରଥ। ଜିଲା ପୁଲିସ ମୁଖ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ଡିଏଫଓ ଧନରାଜ ଏଚ.ଡି. ଏସ୍.ପି ନିତିନ କୁଶଲକର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ ମ୍ୟାନେଜର ହିମାଦ୍ରୀ ଶେଖର ଦାଶ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ସଞ୍ଜୀବ କୁମାର ବାରିକ, ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ଓ କେନ୍ଦୁଝରଗଡ଼ ପୌର ନିର୍ବାହୀ ଡା.ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ସ୍ଥାନମାନଙ୍କରେ ସାଇବର ଠକେଇ ଓ ଅପରାଧ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରିବ ବୋଲି ଏସପି ଶ୍ରୀ କୁଶଲକର କହିଛନ୍ତି।
ସୁରକ୍ଷିତ ସାଇବାର ଓଡ଼ିଶା ଲକ୍ଷ୍ୟରେ ‘ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ସହ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରେ ରିଜର୍ଭ ପୁଲିସ ପଡ଼ିଆରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ସୂଚନା ଦେଇଛନ୍ତି।
