ଇସ୍ରାଏଲ-ହମାସ ଯୁଦ୍ଧ : ହଜାରେ ଟପିଲା ମୃତ୍ୟୁସଂଖ୍ୟା

ତେଲ ଆବିଭ୍‌  : ଇସ୍ରାଏଲ ସେନା ଓ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହମାସ’ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରବିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଶନିବାର ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ସହିତ ହମାସ ଅଧ୍ୟୁଷିତ ଗାଜା ସହର ଉପରେ ପ୍ରତିଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ଉଭୟ ଆକାଶ ଓ ସ୍ଥଳ ମାର୍ଗରେ ଆକ୍ରମଣ କରିଛି। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ୧୦୦୦ରୁ ଅଧିକ ସାଧାରଣ ଲୋକ ଓ ସୈନିକ ପ୍ରାଣ ହରାଇଲେଣି। ଏଥିରେ ଇସ୍ରାଏଲର ୬୦୦ରୁ ୭୦୦ ନାଗରିକ ଓ ସୈନିକ ପ୍ରାଣ ହରାଇଥିବାବେଳେ ହମାସର ୩୦୦ରୁ ଅଧିକ ଯୋଦ୍ଧା ପ୍ରାଣ ହରାଇଛନ୍ତି। ଶନିବାର ଇସ୍ରାଏଲ ମଧ୍ୟକୁ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀମାନେ ଏବେ ବିଭିନ୍ନ ସ୍ଥାନରେ ଲୁଚି ରହିଛନ୍ତି। ସେମାନେ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଆତଙ୍କବାଦୀଙ୍କ କବଳରେ ପଣବନ୍ଦୀ ଥିବା ନାଗରିକମାନଙ୍କୁ ମୁକ୍ତ କରିବା ଲାଗି ଇସ୍ରାଏଲ ସେନା ଅଭିଯାନ ଚଳାଇଛି।
ଅନ୍ୟପଟେ ହମାସର ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଲେବାନନର ହେଜବୋଲ୍ଲା ଗୋଷ୍ଠୀ ନିଜକୁ ସାମିଲ କରିଛି। ହମାସ ଭଳି ହେଜବୋଲ୍ଲା ଏକ ରାଜନୈତିକ ଓ ସୁନ୍ନି ଇସଲାମିକ ଆତଙ୍କବାଦୀ ସଂଗଠନ। ହେଜବୋଲ୍ଲା ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ରକେଟ ମାଡ କରାଯାଇଛି। ଇସ୍ରାଏଲ ଏହାର ଜବାବ ଦେବାକୁ ଯାଇ ହେଜବୋଲ୍ଲା ସଂଗଠନର ଆଡ୍ଡାସ୍ଥଳଗୁଡିକ ଉପରେ ଆକ୍ରମଣ କରିଛି। ହମାସ ସଶସ୍ତ୍ର ବାହିନୀର ନେତା କ୍ବାସମ ବ୍ରିଗେଡ କହିଛନ୍ତି ଯେ ସେମାନଙ୍କର ଯୋଦ୍ଧାମାନେ ଏବେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଚଳାଇଛନ୍ତି। ରିପୋର୍ଟ ଅନୁଯାୟୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ୬୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଲେଣି। ସେହିପରି ଇସ୍ରାଏଲ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଯୁଦ୍ଧ ‘ଅପରେସନ୍‌ ଆଇରନ୍‌ ସୋର୍ଡସ୍‌’ ରେ ୩୦୦ରୁ ଅଧିକ ହମାସ ଯୋଦ୍ଧା ପ୍ରାଣ ହରାଇଲେଣି। ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଆକ୍ରମଣ ଜୋରଦାର କରାଯାଇଛି।

Leave A Reply

Your email address will not be published.