ବିଦେଶୀ ନାଗରିକ ଆମର ଅତିଥି, ଶୀଘ୍ର ଛାଡ଼ିଦେବୁ: ହମାସ୍‌

ତେଲ୍ ଆବିଭ୍‌: ହମାସ୍‌ ପକ୍ଷରୁ ଗାଜାରେ ଥିବା ପଣବନ୍ଦୀଙ୍କ ସମ୍ପର୍କିତ ଏକ ଭିଡିଓ ଜାରି କରାଯାଇଛି। ଏଥିରେ ଇସ୍ରାଏଲର ମିଆ ସେମ୍‌ ନାମ୍ନୀ ୨୧ ବର୍ଷୀୟା ଯୁବତୀଙ୍କ ଫଟୋ ରହିଛି। ସେ ଅସୁସ୍ଥ ଥିବାବେଳେ ତାଙ୍କର ଚିକିତ୍ସା କରାଯାଉଥିବା ଭିଡିଓରେ ଦେଖାଯାଉଛି। ମିଆଙ୍କ ହାତ ହାଡ଼ ଭାଙ୍ଗିଯାଇଛି ଓ ଏଥିରେ ଅ‌େସ୍ତ୍ରାପଚାର କରାଯିବା ସହ ଆବଶ୍ୟକ ଯତ୍ନ ନିଆଯାଉଛି। ଯଥା ଶୀଘ୍ର ସମ୍ଭବ ସେ ଘରକୁ ଫେରିବା ଚାହାନ୍ତି ବୋଲି ମିଆ କହିଛନ୍ତି। ଗତ ୭ତାରିଖ ଅତର୍କିତ ଆକ୍ରମଣ ସମୟରେ ଏକ ଉତ୍ସବରେ ଯୋଗଦେଇ ସେ ସେଡର୍ଟରୁ ଫେରୁଥିବାବେଳେ ସୋହମ୍‌ଠାରୁ ତାଙ୍କୁ ହମାସ୍‌ ଆତଙ୍କବାଦୀ ଅପହରଣ କରିଆଣିଥିଲେ। ଅଲ୍‌-କାସାମ୍‌ ବ୍ରିଗେଡ୍‌ ତାଙ୍କୁ ଅପହରଣ କରିଥିବା ଏହି ଭିଡିଓରେ ସ୍ପଷ୍ଟ କରାଯାଇଛି। ଭିଡିଓ ପ୍ରସାରିତ ହେବା ପରେ ଇସ୍ରାଏଲ ସେନା ମୁଖପାତ୍ର ଏହାକୁ ମାନସିକ ଯୁଦ୍ଧ ଭାବେ ବର୍ଣ୍ଣନା କରିଛନ୍ତି। ପୂର୍ବରୁ ଜାରି ଅନ୍ୟ ଏକ ଭିଡିଓରେ ହମାସ୍‌ ଆତଙ୍କବାଦୀମାନେ ବନ୍ଧୁକ ଧରି କିଛି ଅପହୃତ କୁନି ପିଲାଙ୍କୁ ଜଗିଥିବାବେଳେ ସେମାନେ କାନ୍ଦୁଥିବା ଦେଖାଯାଇଥିଲା। ଆତଙ୍କବାଦୀଙ୍କ ଗୋଟିଏ ହାତରେ ଶିଶୁ ଓ ଅନ୍ୟ ହାତରେ ବନ୍ଧୁକ ଥିଲା।

gpkandhamal

ହମାସ୍‌ ପକ୍ଷରୁ ଜାରି ଅନ୍ୟ ଏକ ଭିଡିଓରେ ବିଦେଶୀ ନାଗରିକମାନଙ୍କୁ ଅତିଥି ଭାବେ ବର୍ଣ୍ଣନା ସହ ସେମାନଙ୍କୁ ମୁକ୍ତ କରାଯିବ ବୋଲି କୁହାଯାଇଛି। ହମାସ୍‌ ୨୦୦ ନିରୀହ ଜନତାଙ୍କୁ ପଣବନ୍ଦୀ କରି ରଖିଛି। ସେମାନଙ୍କ ମଧ୍ୟରେ ୯ ମାସରୁ ଶିଶୁଠାରୁ ଆରମ୍ଭ କରି ୮୫ ବର୍ଷର ବୃଦ୍ଧା ଓ ବିଭିନ୍ନ ଗୁରୁତର ରୋଗୀ ଅଛନ୍ତି। କିଛି ବିଦେଶୀ ନାଗରିକ ମଧ୍ୟ ପଣବନ୍ଦୀ ଅଛନ୍ତି। ଅପରପକ୍ଷରେ ଅନ୍ୟ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ୫୦ଜଣଙ୍କୁ ପଣବନ୍ଦୀ କରି ରଖିଥିବା ଏହି ଭିଡିଓରେ ହମାସ୍‌ ମୁଖପାତ୍ର ଅବୁ ଓବୈଦା କହିଛି। ବାସ୍ତବରେ ପଣବନ୍ଦୀଙ୍କର ଗଣତି କରାଯାଇ ନାହିଁ, ଏହି ସଂଖ୍ୟା ୨୦୦ରୁ ୨୫୦ ହେବ ବୋଲି ସେ କହିଛି। ‘ଅଲ୍‌-ଅକ୍‌ସା ଫ୍ଲଡ ଅପରେସନ୍‌’ରେ ଅଲ୍‌-କାସାମ୍‌ ବାହିନୀ ଦ୍ବାରା ୨୦୦ ଇସ୍ରାଏଲୀ ବନ୍ଦୀ ଅଛନ୍ତି। ସମସ୍ତଙ୍କ ପରିଚୟ ଯାଞ୍ଚ ହେବ। ବିଦେଶୀ ନାଗରିକମାନେ ଅତିଥି ହୋଇଥିବାରୁ ସେମାନଙ୍କୁ ଶୀଘ୍ର ମୁକ୍ତ କରାଯିବ। ପଣବନ୍ଦୀଙ୍କୁ ନିର୍ଯାତନା ଦିଆଯାଉଥିବା ସଂକ୍ରାନ୍ତରେ ଇହୁଦିମାନେ ଅପପ୍ରଚାର ଚଳାଇଛନ୍ତି। ହମାସ୍‌ ସଦସ୍ୟ ଯାହା ଖାଉଛନ୍ତି ସେମାନଙ୍କୁ ତାହା ହିଁ ଦିଆଯାଉଛି। ଇସ୍ରାଏଲ ସ୍ଥଳଭାଗରୁ ଆକ୍ରମଣ କଲେ ମଧ୍ୟ ଏହାକୁ ହମାସ୍‌ ଭୟ କରେନାହିଁ। ଇସ୍ରାଏଲ କାରାଗାରରେ ପ୍ରାୟ ୬ହଜାର ପାଲେଷ୍ଟିନୀୟ ବନ୍ଦୀ ଅଛନ୍ତି। ସେ ତୁଳନାରେ ହମାସ୍‌ ଦ୍ବାରା ବନ୍ଦୀଙ୍କ ସଂଖ୍ୟା ନଗଣ୍ୟ ବୋଲି ଓବୈଦା କହିଛି।

Umasankar Adv
Leave A Reply

Your email address will not be published.