ପାର୍ବଣରେ ରକ୍ତାକ୍ତ ସ୍ମାର୍ଟ ପାର୍କ

ଉତ୍ତରଭୁବନେଶ୍ବର : ଅପରାଧପ୍ରବଣ ହେଉଛି ରାଜଧାନୀର ପାର୍କ। ଉଦ୍‌ଘାଟନ ପରେ ହାତ ଟେକି ଦେଉଛି ପ୍ରଶାସନ। ପାର୍କ ଉପରେ ରହୁନି କାହାର କଟକଣା। ସଞ୍ଜ ନଇଁଲେ ପାର୍କରେ ଅପରାଧୀଙ୍କ ଆଡ୍ଡା ଜମୁଛି। ଗୋଷ୍ଠୀ ସଂଘର୍ଷ ଘଟୁଛି। ରାଜଧାନୀର ପାର୍କରେ ହତ୍ୟାକାଣ୍ଡ ଘଟିବା ନଜିର ବି ରହିଛି । କେତେକ ସ୍ଥାନରେ ଦେହ ବେପାର ବି ଚାଲୁଛି। ଏଥିପ୍ରତି ବିଏମ୍‌ସି କିମ୍ବା ପୁଲିସ କାହାର ନଜର ନାହିଁ। ଏହିଭଳି ଏକ ଘଟଣା ବୁଧବାର ରାତିରେ ସହିଦନଗର ସ୍ମାର୍ଟ ପାର୍କ(ସେନ୍‌ସୋରୀ ପାର୍କ)ରେ  ଘଟିଛି । କିଛି ସମୟ ପାଇଁ ପାର୍କ ରଣକ୍ଷେତ୍ର ପାଲଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଦୁଇ ଗୋଷ୍ଠୀଙ୍କ ବାଡ଼ିଆପିଟାରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ପହଞ୍ଚିବାବେଳକୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ।  ଏଥିରେ ଗୋଟିଏ ଗୋଷ୍ଠୀର ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସମ୍ପର୍କରେ ଆହତଙ୍କ ପରିବାର ଲୋକ ସହିଦନଗର ଥାନାରେ ଏତଲା ଦେଇଛନ୍ତି। ଆହତଙ୍କ ଘର ଶାନ୍ତିପଲ୍ଲୀ ବସ୍ତିରେ ବୋଲି ଜଣାପଡ଼ିଛି। ଅଭିଯୋଗ  ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି। ଉକ୍ତ ପାର୍କରେ ଗଣ୍ଡଗୋଳ ଘଟିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଅବାଧ ନିଶା କାରବାର  ସାଙ୍ଗକୁ ଅନ୍ଧାରର ସୁଯୋଗ ଦେଇ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଛି।

gpkandhamal

ସହରବାସୀଙ୍କ ଅବସର ବିନୋଦନ ଲାଗି ସରକାର ବିଭିନ୍ନ ସ୍ଥାନରେ ପାର୍କ କରିଛନ୍ତି। ପାର୍କ କରିବା ପରେ ଏହାର ରକ୍ଷଣାବେକ୍ଷଣ ଉପରେ କେହି ଦୃଷ୍ଟି ଦେଉନାହାନ୍ତି। ଯାହାଫଳରେ ପାର୍କଗୁଡ଼ିକ ଏବେ ଅପରାଧୀଙ୍କ ଲାଗି ସୁରକ୍ଷିତ ସ୍ଥାନ ପାଲଟିଛି। ସହିଦନଗରବାସୀଙ୍କ ଏହି ସ୍ମାର୍ଟ ପାର୍କକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ପାର୍କ ନିକଟରେ ରହୁଥିବା ବାସିନ୍ଦା ସର୍ବଦା ନିଜକୁ ଅସୁରକ୍ଷିତ ମଣୁଛନ୍ତି।  ପାର୍କରେ ଦିନ ରାତି ଅସାମାଜିକ ଖଟି ଜମାଉଛନ୍ତି। ବୁଧବାର କିଛି ଯୁବକ ଏହି ପାର୍କରେ ରିଲ୍ସ ସୁଟିଂ କରୁଥିଲେ। ରାତି ପ୍ରାୟ ସାଢ଼େ ୭ଟାରେ ପାର୍କ ଭିତରେ ଏଭଳି ଘଟଣା ଘଟିଥିଲା। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳ ଚଳଚଞ୍ଚଳ ରହିଥିଲା। ପାର୍କ ନିକଟରେ ହଠାତ୍‌ ୨୫ରୁ ୩୦ ଯୁବକ ମୋଟର ସାଇକଲରେ ଆସି ପହଞ୍ଚିଥିଲେ। ସମସ୍ତଙ୍କ ହାତରେ ଠେଙ୍ଗା ଥିଲା। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପାର୍କରେ ଥିବା କିଛି ଯୁବକଙ୍କୁ ସେମାନେ ନିସ୍ତୁକ ପିଟାପିଟି କରିଥିଲେ। ଜୀବନ ବଞ୍ଚାଇବା ଲାଗି ଆକ୍ରମଣର ଶିକାର ଯୁବକମାନେ ଚିତ୍କାର କରିଥିଲେ। ହେଲେ ସେମାନଙ୍କୁ ରକ୍ଷା କରିବା ଲାଗି କେହି ସାହସ କରିନଥିଲେ। ବରଂ ନିଜକୁ ଅସୁରକ୍ଷିତ ମନେ କରି ଦୂରକୁ ପଳାଇଥିଲେ। ଏଭଳି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଲୋକେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ୪୦ ମିନିଟ୍‌ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଯୁବକମାନେ ପଳାଇ ଯାଇଥିଲେ। ଏହି ପାର୍କରେ ସବୁବେଳେ ଅସାମାଜିକଙ୍କ ଭିଡ଼ ହେଉଥିବା‌େ‌ବଳେ ଗଣ୍ଡଗୋଳ ହେଉଛି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗୁରୁତରଙ୍କଠାରୁ ଆକ୍ରମଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ରିଲ୍‌ ସୁଟିଂକୁ ନେଇ ଏଭଳି କାଣ୍ଡ ଘଟିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଥାନା ଅଧିକାରୀ ମନୋଜ ଶତପଥୀ କହିଛନ୍ତି ଯେ, ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଗଣ୍ଡଗୋଳକାରୀ ସେଠାରୁ ଫେରାର ହୋଇଯାଇଥିଲେ।  ଆକ୍ରମଣକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।

Umasankar Adv
Leave A Reply

Your email address will not be published.