ଜମି ଦେବା ନାଁରେ ଠକେଇ, ବିଲଡରଙ୍କ ନାମରେ ଥାନାରେ ମାମଲା

ଗୋପାଳପୁର : ଜମି ଦେବା ନାଁରେ ଜଣେ ମହିଳା ପ୍ରଧ୍ୟାପିକାଙ୍କୁ ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ଜଣେ ବିଲଡରଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଛି। କନିଷି ହାଟ ବିଦ୍ୟୁତ୍ ନଗରରେ ରହୁଥିବା ତଥା ଗିରିସୋଲା ମହାବିଦ୍ୟାଳୟରେ ପ୍ରଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ଜୋସ୍ନାମୟୀ ରାଉତ ଗତ ୨୦୧୬ ରେ ହଳଦିଆପଦରରେ ଏକ ଜମି କିଣିବା ନିମନ୍ତେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ଶାସ୍ତ୍ରୀ ନଗର ୩ୟ ଲେନର ଲଳିତ ମୋହନ ମଙ୍ଗରାଜଙ୍କୁ ୨୮.୦୨.୧୬ରେ ୧ ଲକ୍ଷ ଟଙ୍କା ନଗଦ ଏବଂ ପରେ ୩ ଲକ୍ଷ ଟଙ୍କାର ଏକ ଚେକ ଦେଇଥିଲେ। କିନ୍ତୁ ଶ୍ରୀ ମଙ୍ଗରାଜ ଜମି ଦେବା ବଦଳରେ ଦିନ ଗଡାଇ ଚାଲିଥିଲେ। ଗତ ଜୁନ ମାସରେ ପ୍ରଧ୍ୟାପିକା ଜଣଙ୍କ ଶ୍ରୀ ମଙ୍ଗରାଜଙ୍କୁ ଜମି ଦେବା ନହେଲେ ଟଙ୍କା ଫେରାଇବାକୁ କହିବାରୁ ଶ୍ରୀ ମଙ୍ଗରାଜ ନାନା ଧମକ ଦେବା ସହ ଗାଳିଗୁଲଜ କରିଥିଲେ। ଘଟଣା ନେଇ ପ୍ରଧ୍ୟାପିକା ଜଣଙ୍କ ଗତ ୨୬ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ଅନ୍ୟ ପଟେ ଗତ ସେପ୍ଟେମ୍ବର ୨୯ ତାରିଖରେ ଲଳିତ ମୋହନ ମଙ୍ଗରାଜ ନିଜ ସ୍କୁଟିରେ ସିହଳା ରୋଡ ଦେଇ ବେଦବ୍ୟାସ କଲେଜକୁ ଯାଉଥିବା ସମୟରେ ପ୍ରଧ୍ୟାପିକା ଶ୍ରୀମତୀ ସାହୁ ଏବଂ ତାଙ୍କ ସହଯୋଗୀ ସୁରେଶ କୁମାର ପାତ୍ର ଓ ଅନ୍ୟ ୪ ଜଣ ତାଙ୍କୁ ଅଟକାଇବା ସହ ତାଙ୍କୁ ୧୫ ଲକ୍ଷ ଟଙ୍କା ଦାଦବଟି ମାଗିବା ଥିଲେ। ସୁରେଶ ଏକ ଦେଶୀ ବନ୍ଧୁକ ଲଲିତ ମୁଣ୍ଡରେ ଲଗାଇ ତାଙ୍କ ପକେଟରୁ ୨୦ ହଜାର ଟଙ୍କା ଛଡାଇ ନେଇଯାଇ ଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଅନ୍ୟ ଏକ ମାମଲା ରୁଜୁ କରିଥିଲେ। ଘଟଣା ନେଇ ଲଳିତଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ତାଙ୍କ ନାମରେ ଜମି ଠକେଇ ନେଇ ଯେଉଁ ଅଭିଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ପୁଲିସ ପକ୍ଷରୁ ଉଭୟ ମାମଲା ନେଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.